ଭୁବନେଶ୍ୱର, ୨୯ ଜୁଲାଇ: ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ‘ଗୋଟିଏ ମଣିଷ, ଗୋଟିଏ ଭୋଟ’ ହେଉଛି ଜନସାଧାରଣଙ୍କ ସବୁଠାରୁ ବଡ଼ ସାମ୍ବିଧାନିକ ଶକ୍ତି, ଯାହା ମାଧ୍ୟମରେ ଦୁର୍ନୀତିମୁକ୍ତ ଓ ସ୍ୱଚ୍ଛ ଶାସନ ପ୍ରତିଷ୍ଠା କରାଯାଇପାରିବ। ସମ୍ବିଧାନ ପ୍ରଣେତା ଡ. ଭୀମରାଓ ଆମ୍ବେଦକର ପ୍ରଦାନ କରିଥିବା ଏହି ଅଧିକାରର ସଠିକ୍ ବ୍ୟବହାର ଦ୍ୱାରା ଜନତା ଚାହିଁଲେ ଦୁର୍ନୀତିଗ୍ରସ୍ତ ସରକାରକୁ ସତ୍ତାଚ୍ୟୁତ କରିପାରିବେ। ମାତ୍ର ଆଜି ସମାଜରେ ଏକତା ଓ ସଂଗଠିତ ଭାବର ଅଭାବ ହେତୁ ସରକାରୀ ଓ ପ୍ରଶାସନିକ କ୍ଷେତ୍ରରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି ଏବଂ ଯୋଗ୍ୟ ବ୍ୟକ୍ତିମାନେ ନିଜର ନ୍ଯାଯ୍ୟ ଅଧିକାରରୁ ବଞ୍ଚିତ ହେଉଛନ୍ତି। ସ୍ୱାଧୀନତାର ୭୮ ବର୍ଷ ବିତିଯାଇଥିଲେ ସୁଦ୍ଧା ଧନୀ ଓ ଗରିବଙ୍କ ମଧ୍ୟରେ ବୈଷମ୍ୟ କ୍ରମାଗତ ବୃଦ୍ଧି ପାଉଥିବାରୁ ଶିକ୍ଷିତ ଯୁବକଯୁବତୀମାନେ ନିଯୁକ୍ତି ପାଇବାରେ ନିରାଶ ହେଉଛନ୍ତି। ଏହି ପରିସ୍ଥିତିରେ ଓବିସି, ଏସସି, ଏସଟି, ପଛୁଆବର୍ଗ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ସଂଗଠିତ ହୋଇ ଆପଣାର ଅଧିକାର ପାଇଁ ଆଗେଇ ଆସିବାକୁ ‘ଆଶା’ର ପରାମର୍ଶଦାତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରା ଏବଂ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ କହିଛନ୍ତି।
ସ୍ଥାନୀୟ ରେଡକ୍ରସ ଭବନଠାରେ ଆମ୍ବେଦକର ସମାଜ ସେବା ଆସୋସିଏସନ (‘ଆଶା’) ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେମାନେ ଅଭିଯୋଗ କରିଛନ୍ତି ଯେ, ସରକାର ସାମାଜିକ ଓ ଆର୍ଥିକ ନ୍ୟାୟ ଯୋଗାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଯୋଜନାଗୁଡ଼ିକର ସୁଫଳ ଶେଷ ଧାଡ଼ିରେ ଥିବା ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ। କେବଳ ଗଣମାଧ୍ୟମର ପ୍ରଚାର ଦ୍ୱାରା ଏହି ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ ସମ୍ଭବ ନୁହେଁ। ତେଣୁ ଭୋଟରମାନେ କୌଣସି ପ୍ରକାର ଅର୍ଥଲୋଭ କିମ୍ବା ଚାପରେ ନପଡ଼ି ସ୍ୱଚ୍ଛ ଓ ସଚ୍ଚୋଟ ପ୍ରାର୍ଥୀଙ୍କୁ ଚୟନ କରିବା ଆବଶ୍ୟକ।
ସଂଗଠନର ସଭାପତି ମୁରଲୀଧର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ମହିଳା ବାହିନୀ ଅଧ୍ୟକ୍ଷା କମଳିନୀ ପାଟ୍ଟଶାଣୀ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ମହାନ୍ତି, ପ୍ରଶାସକ ରସିଦ ଖାନ, ଯୁବ ବାହିନୀ ଅଧ୍ୟକ୍ଷ ଶାରଦା ପ୍ରସନ୍ନ ସ୍ୱାଇଁ, ସାଧାରଣ ସମ୍ପାଦିକା ସୂର୍ଯ୍ୟକାନ୍ତି ନାୟକ, ଆମ୍ବେଦକରବାଦୀ ନେତା ଅବଦୁଲ ୱାଲି, ସାଧାରଣ ସମ୍ପାଦକ ରାଜକିଶୋର ମହାରଣା, ସୁକାନ୍ତ ତିଆଡ଼ି ଓ ତୁଷାରକାନ୍ତି ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ ସରକାରୀ ଓ ଘରୋଇ କାର୍ଯ୍ୟାଳୟରେ ଡ. ବି. ଆର. ଆମ୍ବେଦକରଙ୍କ ଫୋଟୋଚିତ୍ର ସ୍ଥାପନ କରିବା ଏବଂ ତାଙ୍କ ଜୀବନାଦର୍ଶକୁ ପାଠ୍ୟପୁସ୍ତକରେ ସାମିଲ କରିବା ପାଇଁ ସଂଗଠନ ପକ୍ଷରୁ ଦାବି କରାଯାଇଥିଲା।



