ଭୁବନେଶ୍ୱର, ଜୁଲାଇ ୨୯: କୃଷି ଶିକ୍ଷାକୁ କ୍ଷେତ୍ରସ୍ତରରେ ପ୍ରୟୋଗ କରି ଗ୍ରାମୀଣ ଚାଷୀଙ୍କ ଆୟ ବୃଦ୍ଧି କରିବା ଲକ୍ଷ୍ୟରେ ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ (ଆଇଏଏସ୍) ପକ୍ଷରୁ ଚାଲିଥିବା ୨୦୨୬-୨୭ ‘ରାୱେ’ (ଗ୍ରାମୀଣ କୃଷି କାର୍ଯ୍ୟ ଅନୁଭୂତି) କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ସଫଳତାର ସହ ଶେଷ ହୋଇଛି। ଜୁଲାଇ ୨୨ରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ଗ୍ରାମ ସଂଲଗ୍ନତା ଅଭିଯାନରେ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର, ଜଟଣୀ ଓ ବାଲିଅନ୍ତା ବ୍ଲକ୍ର ୧୧ଟି ଗ୍ରାମ ଝିଣ୍ଟିଶାସନ, ପାଣିକଟା, ଛତାବର, ପୁରୋହିତପୁର, ମେଣ୍ଢାଶାଳ, ବୁଢ଼ୀପଡ଼ା, ବରୁଣେଇଖଣା, ପୁରୁଣା ପଧାନ, କୁଜିମହଲ, ଭୋଳା ଓ ସିଙ୍ଗିରିଶାସନର କୃଷକମାନେ ସାମିଲ ହୋଇଥିଲେ। ଚାଷୀଙ୍କ ସ୍ଥାନୀୟ ଆବଶ୍ୟକତାକୁ ନଜରରେ ରଖି କମ୍ ଖର୍ଚ୍ଚରେ ଅଧିକ ଲାଭଦାୟକ ଓ ଜଳବାୟୁ ଅନୁକୂଳ କୌଶଳ ସମ୍ପର୍କରେ ସେମାନଙ୍କୁ ପ୍ରଶିକ୍ଷିତ କରିବା ପାଇଁ ମୋଟ ୧୬ଟି ସ୍ୱତନ୍ତ୍ର କର୍ମଶାଳା ଆୟୋଜନ କରାଯାଇଥିଲା।
ଏହି ସପ୍ତାହବ୍ୟାପୀ ଶିବିରରେ ବୈଜ୍ଞାନିକ ପଦ୍ଧତିରେ ଚାଷ ଖର୍ଚ୍ଚ ହ୍ରାସ କରିବା ସହ ଉତ୍ପାଦନ ବୃଦ୍ଧି ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତି ପ୍ରଦର୍ଶନ କରାଯାଇଥିଲା। ବିଶେଷ କରି ମୃତ୍ତିକା ସ୍ୱାସ୍ଥ୍ୟ ଓ ପଶୁଖାଦ୍ୟ ପାଇଁ ଆଜୋଲା ଚାଷ, ଧାନରେ ସମନ୍ୱିତ ପୋଷକ ତତ୍ତ୍ୱ (ଆଇଏନ୍ଏମ୍) ଓ କୀଟ ପରିଚାଳନା (ଆଇପିଏମ୍), ଛତୁ ଚାଷ ଓ ମୂଲ୍ୟ ସଂଯୋଜନା, ନିମ୍ବ ଆଧାରିତ ଜୈବ କୀଟନାଶକ ଓ ଏନ୍ଏସ୍କେଇ ବ୍ୟବହାର, ବିହନ ଓ କଦଳୀ ଛେର ଶୋଧନ ପ୍ରଣାଳୀ ଶିଖାଯାଇଥିଲା। ଏହା ସହିତ ମହୁଚାଷ, ପ୍ରୋ-ଟ୍ରେ ମାଧ୍ୟମରେ ପନିପରିବା ଚାରା ପ୍ରସ୍ତୁତି, ଇନ୍ସେକ୍ଟ ଟ୍ରାପ୍, କେଞ୍ଛୁଆ ପାଳନ, ଭର୍ମି କମ୍ପୋଷ୍ଟ ଓ ଭର୍ମିୱାଶ୍ ଏବଂ କାକୁଡ଼ି ଓ ଧାନ ଫସଲର ସୁରକ୍ଷା ପାଇଁ କୃଷକଙ୍କୁ ବ୍ୟାବହାରିକ ତାଲିମ ପ୍ରଦାନ କରାଯାଇଥିଲା। ରାୱେ କମିଟିର ଅଧ୍ୟାପକମାନଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗ୍ରାମୀଣ ଯୁବକ-ଯୁବତୀ, ମହିଳା ଚାଷୀ ଓ କୃଷି ଛାତ୍ରଛାତ୍ରୀ ପ୍ରତ୍ୟକ୍ଷ ଭାବେ ଆଲୋଚନା କରି କ୍ଷେତ୍ରସ୍ତରୀୟ ସମସ୍ୟାର ସମାଧାନ ପାଇଥିଲେ।
ଆଇଏଏସ୍ର ଡୀନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଏହି କାର୍ଯ୍ୟକ୍ରମକୁ କୃଷି ଶିକ୍ଷା ଓ ଗ୍ରାମୀଣ ବିକାଶ ମଧ୍ୟରେ ଏକ ଯୋଗସୂତ୍ର ଭାବେ ବର୍ଣ୍ଣନା କରିଥିବା ବେଳେ ରାୱେ ଅଧ୍ୟକ୍ଷ ଡକ୍ଟର ଅଂଶୁମାନ ଜେନା ଗ୍ରାମବାସୀଙ୍କ ସହଯୋଗ ପାଇଁ କୃତଜ୍ଞତା ଜଣାଇଛନ୍ତି। ଡକ୍ଟର ଜେନା ପ୍ରକାଶ କରିଛନ୍ତି ଯେ, ଆଗାମୀ ଦ୍ୱିତୀୟ ପର୍ଯ୍ୟାୟରେ କୃଷକଙ୍କ ପାଇଁ ସଚେତନତା ଅଭିଯାନ, କ୍ଷେତ୍ର ପ୍ରଦର୍ଶନୀ, ସମନ୍ୱିତ କୃଷି ପ୍ରଣାଳୀ, ପ୍ରାକୃତିକ ସମ୍ପଦ ପରିଚାଳନା ଓ କୃଷି ଉଦ୍ୟୋଗିତା ଉପରେ ସ୍ୱତନ୍ତ୍ର ତାଲିମ ଆୟୋଜନ କରାଯିବ, ଯାହା ଗ୍ରାମୀଣ ସମୁଦାୟ ଓ ବିଶ୍ୱବିଦ୍ୟାଳୟ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ।



