ଭୁବନେଶ୍ୱର, ଜୁଲାଇ ୨୭: ଆଧୁନିକ କୃଷି ବିଜ୍ଞାନର ଦିଗବଳୟକୁ ବଦଳାଇବାରେ କୃତ୍ରିମ ବୁଦ୍ଧିମତ୍ତା ଏବଂ ସ୍ମାର୍ଟ ଏଗ୍ରିକଲଚରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମାନବ ଜୀବନ ଓ ଜୀବିକା ସହ କୃତ୍ରିମ ବୁଦ୍ଧିମତ୍ତା ନିବିଡ଼ ଭାବେ ଯୋଡ଼ି ହୋଇସାରିଥିବା ବେଳେ କୃଷି କ୍ଷେତ୍ରରେ ମଧ୍ୟ ଏହାର ପ୍ରଭାବ ବ୍ୟାପକ ଭାବେ ପରିଲକ୍ଷିତ ହେଉଛି। ଏହାଦ୍ୱାରା ଅନେକ ଜଟିଳ ପ୍ରକ୍ରିୟାର ସରଳୀକରଣ ସମ୍ଭବ ହୋଇପାରିଛି, ଯାହା ଦେଶର କୃଷି ଓ କୃଷକଙ୍କ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଛି ବୋଲି ଭାରତର ବିଶିଷ୍ଟ ବିଜ୍ଞାନୀ ପ୍ରଫେସର ଡ. ସୁଧୀନ୍ଦ୍ର ନାଥ ପଣ୍ଡା ମତବ୍ୟକ୍ତ କରିଛନ୍ତି। ସିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚରାଲ୍ ସାଇନ୍ସେସ୍ ଠାରେ ଅନୁଷ୍ଠିତ ୨୦ତମ ଏମ୍.ଏସ୍. ସ୍ୱାମୀନାଥନ୍ ସ୍ମାରକୀ ବକ୍ତୃତାମାଳାରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପ୍ରଫେସର ପଣ୍ଡା ଭାରତୀୟ କୃଷିଧାରାରେ କୃତ୍ରିମ ବୁଦ୍ଧିମତ୍ତାର ବର୍ତ୍ତମାନର ସ୍ଥିତି ଏବଂ ସ୍ମାର୍ଟ ଏଗ୍ରିକଲଚରର ଭବିଷ୍ୟତ ସମ୍ପର୍କରେ ତଥ୍ୟପୂର୍ଣ୍ଣ ଆଲୋଚନା କରିଥିଲେ।
ଏହି ସମାରୋହରେ ଆଇଏଏସ୍ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଅଧ୍ୟକ୍ଷତା କରି ବିଶ୍ୱବିଦ୍ୟାଳୟ ପକ୍ଷରୁ କୃଷି ବିଜ୍ଞାନର ପ୍ରଗତି ପାଇଁ ଆୟୋଜିତ ହେଉଥିବା ବିଭିନ୍ନ ବୈଜ୍ଞାନିକ ଓ ଗବେଷଣାତ୍ମକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିସହିତ ସମ୍ମାନିତ ଅତିଥି ଭାବେ ପ୍ରଖ୍ୟାତ ବିଜ୍ଞାନୀ ଡ. ୟୁ. ସି. ମହାନ୍ତି ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ଆବାହକ ପ୍ରଫେସର ସରୋଜ କୁମାର ମହାନ୍ତି ସ୍ୱାଗତ ଭାଷଣ ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଶେଷରେ ପ୍ରଫେସର ପ୍ରଭାତ କୁମାର ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଅତିଥିମାନଙ୍କୁ ଆନୁଷ୍ଠାନିକ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ଡ. ରାଜୀବ କୁମାର ବେହେରା କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ବିଭିନ୍ନ ବିଭାଗର ମୁଖ୍ୟ, ଅଧ୍ୟାପକ-ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିଥିଲେ।



