ଭୁବନେଶ୍ୱର, ୨୭ ଜୁଲାଇ ୨୦୨୬: କେନ୍ଦ୍ରୀୟ ବିଦ୍ୟାଳୟ ଆଇଆଇଟି ଭୁବନେଶ୍ୱରଠାରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ, ଭୁବନେଶ୍ୱର ସମ୍ଭାଗ ପକ୍ଷରୁ ଆୟୋଜିତ କ୍ଲଷ୍ଟର ସ୍ତରୀୟ ‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମ ଅତ୍ୟନ୍ତ ଆଡ଼ମ୍ବର, ଗୌରବ ଓ ଦେଶପ୍ରେମର ଅଭୂତପୂର୍ବ ପରିବେଶ ମଧ୍ୟରେ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ କ୍ଲଷ୍ଟରର ୧୧ଟି କେନ୍ଦ୍ରୀୟ ବିଦ୍ୟାଳୟରୁ ଆସିଥିବା ଶତାଧିକ ଛାତ୍ରଛାତ୍ରୀ ଅତ୍ୟନ୍ତ ଉତ୍ସାହର ସହ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ପରିକଳ୍ପନା ଅନୁଯାୟୀ ଓଡ଼ିଶାର ସହଭାଗୀ ରାଜ୍ୟ ପଞ୍ଜାବ ଏବଂ ହରିୟାଣାର ସମୃଦ୍ଧ ସାଂସ୍କୃତିକ ପରମ୍ପରା, ଲୋକକଳା ଓ ଐତିହାସିକ ଗୌରବକୁ କାର୍ଯ୍ୟକ୍ରମ ମାଧ୍ୟମରେ ସୁନ୍ଦର ଭାବେ ଉପସ୍ଥାପିତ କରାଯାଇଥିଲା।
ପାରମ୍ପରିକ ପଞ୍ଜାବୀ ଓ ହରିୟାଣବୀ ପୋଷାକରେ ସଜ୍ଜିତ ବିଦ୍ୟାର୍ଥୀମାନେ ମଞ୍ଚରେ ସମୂହ ନୃତ୍ୟ ଓ ସମୂହ ସଙ୍ଗୀତ ପରିବେଷଣ କରି ସାରା ପରିବେଶକୁ ଲୋକପରମ୍ପରାର ରଙ୍ଗରେ ରଙ୍ଗୀନ କରିଦେଇଥିଲେ। ଏଥିସହ ଆୟୋଜିତ କଳାକୃତି ପ୍ରଦର୍ଶନୀରେ ଉଭୟ ରାଜ୍ୟର ପାରମ୍ପରିକ ହସ୍ତଶିଳ୍ପ, ଜୀବନଶୈଳୀ, କଳାକୌଶଳ ଓ ଗ୍ରାମୀଣ ସંସ୍କୃତିର ଜୀବନ୍ତ ଝଲକ ଦେଖିବାକୁ ମିଳିଥିଲା, ଯାହା ଉପସ୍ଥିତ ଦର୍ଶକ ଓ ଶିକ୍ଷାବିତ୍ମାନଙ୍କୁ ଗଭୀର ଭାବେ ପ୍ରଭାବିତ କରିବା ସହ ଏକ ଶିକ୍ଷଣୀୟ ଅନୁଭୂତି ପ୍ରଦାନ କରିଥିଲା।
ଏହି ସମାରୋହ କୋମଳମତି ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଜାତୀୟ ଏକତା, ସାଂସ୍କୃତିକ ଆଦାନ-ପ୍ରଦାନ ଏବଂ ‘ବିବିଧତାରେ ଏକତା’ର ଭାବନାକୁ ସୁଦୃଢ଼ କରିବାରେ ଏକ ଶ୍ରେଷ୍ଠ ମଞ୍ଚ ସାବ୍ୟସ୍ତ ହୋଇଛି। ଏହା ଭାରତର ବହୁବିଧ ସାଂସ୍କୃତିକ ଐତିହ୍ୟକୁ ବୁଝିବା, ଆଦର କରିବା ଏବଂ ପାରସ୍ପରିକ ଭାତୃଭାବ ଓ ସମ୍ମାନବୋଧକୁ ମଜବୁତ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଅନୁପ୍ରାଣିତ କରିଛି।

ଏହି ଆୟୋଜନ ଅବସରରେ କେନ୍ଦ୍ରୀୟ ବିଦ୍ୟାଳୟ ଆଇଆଇଟି ଭୁବନେଶ୍ୱରର ଅଧ୍ୟକ୍ଷ ଶ୍ରୀ ଚକ୍ରଧର ପୃଷ୍ଟି କାର୍ଯ୍ୟକ୍ରମର ସୁଚାରୁ ନିର୍ବାହ ପାଇଁ ହାର୍ଦ୍ଦିକ ସନ୍ତୋଷ ପ୍ରକାଶ କରିଥିଲେ। ସେ ସମସ୍ତ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀ, ଏସ୍କର୍ଟ ଶିକ୍ଷକ-ଶିକ୍ଷୟିତ୍ରୀ, ସମନ୍ୱୟକାରୀ, ବିଚାରକମଣ୍ଡଳୀ, ସ୍ୱେଚ୍ଛାସେବୀ ଓ ଆୟୋଜନ କମିଟିକୁ ସେମାନଙ୍କର ନିଷ୍ଠାପର ସହଯୋଗ ଓ ସମର୍ପଣ ପାଇଁ ସାଧୁବାଦ ଜଣାଇଥିଲେ। ସେହିପରି ଅଂଶଗ୍ରହଣ କରିଥିବା ୧୧ଟି ଯାକ ବିଦ୍ୟାଳୟର ସହଯୋଗ, ଶୃଙ୍ଖଳା, ଦଳଗତ ମନୋଭାବ ଓ ସାଂସ୍କୃତିକ ପ୍ରତିଭାର ସେ ଉଚ୍ଚ ପ୍ରଶଂସା କରିଥିଲେ।
ଉତ୍ସବମୁଖର ଓ ଆନନ୍ଦମୟ ପରିବେଶ ମଧ୍ୟରେ ସମାପ୍ତ ହୋଇଥିବା ଏହି କାର୍ଯ୍ୟକ୍ରମ ସମସ୍ତଙ୍କ ପାଇଁ ଏକ ଅବିସ୍ମରଣୀୟ ମୁହୂର୍ତ୍ତ ସୃଷ୍ଟି କରିବା ସହ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ସଂକଳ୍ପକୁ ଦୋହରାଇ ଭାରତର ଜାତୀୟ ଅଖଣ୍ଡତା ଓ ସାଂସ୍କୃତିକ ବିବିଧତାର ବାର୍ତ୍ତାକୁ ସଫଳତାର ସହ ପ୍ରଚାରିତ କରିପାରିଛି।



