ଭୁବନେଶ୍ୱର, ୨୫ । ୭: କିସ୍ ପରିସରସ୍ଥ ଶ୍ରୀବାଣୀକ୍ଷେତ୍ର ମନ୍ଦିର ପ୍ରାଙ୍ଗଣରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମାଆ ସୁଭଦ୍ରାଙ୍କ ପବିତ୍ର ସୁନାବେଶ ଅତ୍ୟନ୍ତ ମହାଆଡ଼ମ୍ବର ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସୁରୁଖୁରୁରେ ସଂପନ୍ନ ହୋଇଯାଇଛି। ପବିତ୍ର ବାହୁଡ଼ା ଯାତ୍ରାରେ ଗୁଣ୍ଡିଚା ମନ୍ଦିରରୁ ଶ୍ରୀବାଣୀକ୍ଷେତ୍ରକୁ ଫେରିବା ପରେ ପ୍ରତିବର୍ଷ ପରମ୍ପରା ଅନୁସାରେ ଠାକୁରମାନଙ୍କର ଏହି ମହାନ ରାଜାଧିରାଜ ବେଶ ଆୟୋଜିତ ହୋଇଥାଏ। ଚଳିତବର୍ଷ ମଧ୍ୟ ମହାପ୍ରଭୁଙ୍କ ଏହି ଅପୂର୍ବ ଓ ସ୍ୱର୍ଣ୍ଣମୟ ରୂପ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା।

ସୁନାବେଶ ସମୟରେ ବୈଦିକ ନୀତିକାନ୍ତି ଅନୁଯାୟୀ ତିନିଠାକୁରଙ୍କ ଶ୍ରୀଅଙ୍ଗରେ ବହୁମୂଲ୍ୟ ସ୍ୱର୍ଣ୍ଣ ଅଳଙ୍କାର ଲାଗି କରାଯାଇଥିଲା। ପ୍ରଭୁଙ୍କ ଶ୍ରୀପୟର, ଶ୍ରୀଭୂଜ, ଶ୍ରୀକିରିଟି, ସୂର୍ଯ୍ୟ, ଚନ୍ଦ୍ର, ସ୍ୱର୍ଣ୍ଣମାଳି, ତିଳକ, ଚନ୍ଦ୍ରିକା, ଝୋବାକଣ୍ଠି ଏବଂ ଆୟୁଦ୍ଧମାନ ଶ୍ରୀଜୀଉଙ୍କ ଦିବ୍ୟ ଶୋଭାକୁ ଅଗୁଣିତ କରିତୋଳିଥିଲା। ଭକ୍ତମାନେ ମହାପ୍ରଭୁଙ୍କ ଏହି ସ୍ୱର୍ଣ୍ଣମୟ ରୂପ ଦର୍ଶନ କରି ନିଜକୁ କୃତକୃତ୍ୟ ମନେକରିଥିଲେ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ କିଟ୍ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସ୍ୱଶୃଙ୍ଖଳ ବ୍ୟବସ୍ଥା କରାଯାଇଥିବା ବେଳେ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଭଜନ ସମାରୋହ ଗଗନପବନକୁ ଭକ୍ତିମୟ କରିତୋଳିଥିଲା।



