Homeସ୍ୱାସ୍ଥ୍ୟ ଓ ଜୀବନଚର୍ଯ୍ୟା୧୦ ମାସର ଶିଶୁର ଶ୍ୱାସନଳୀରୁ ବାହାରିଲା ଆତ ମଞ୍ଜି: ସମ୍ ଅଲ୍ଟିମେଟ୍‌ରେ ଜଟିଳ ବ୍ରୋଙ୍କୋସ୍କୋପି ଦ୍ୱାରା...

୧୦ ମାସର ଶିଶୁର ଶ୍ୱାସନଳୀରୁ ବାହାରିଲା ଆତ ମଞ୍ଜି: ସମ୍ ଅଲ୍ଟିମେଟ୍‌ରେ ଜଟିଳ ବ୍ରୋଙ୍କୋସ୍କୋପି ଦ୍ୱାରା ବଞ୍ଚିଲା ଜୀବନ

ଭୁବନେଶ୍ୱର, ଜୁଲାଇ ୨୫: ସମ୍ ଅଲ୍ଟିମେଟ୍ ମେଡିକେୟାରର ଡାକ୍ତରୀ ଦଳ ଅସାଧାରଣ ଚିକିତ୍ସା କୌଶଳ ଓ ଦକ୍ଷତା ପ୍ରଦର୍ଶନ କରି ଜଣେ ୧୦ ମାସର ଶିଶୁର ଜୀବନ ସଫଳତାର ସହ ରକ୍ଷା କରିଛନ୍ତି। ଶିଶୁଟିର ଡାହାଣ ଶ୍ୱାସନଳୀ ଭିତରେ ଗୋଟିଏ ଆତ ମଞ୍ଜି ଅଟକି ରହିଥିବା ବେଳେ ଏକ ଜଟିଳ ବ୍ରୋଙ୍କୋସ୍କୋପି ପ୍ରକ୍ରିୟା ଜରିଆରେ ତାହାକୁ ନିରାପଦରେ ବାହାର କରାଯାଇଛି। ଶିଶୁଟି ଭୁଲବଶତଃ ଆତ ମଞ୍ଜିଟିକୁ ଗିଳି ଦେବା ପରେ ତାହା ଶ୍ୱାସନଳୀ ମଧ୍ୟକୁ ଚାଲିଯାଇଥିଲା, ଯାହାଫଳରେ ଗୁରୁତର ଶ୍ୱାସକଷ୍ଟ ଦେଖାଦେଇଥିଲା। ସଙ୍କଟାପନ୍ନ ଅବସ୍ଥାରେ ଶିଶୁଟିକୁ ସମ୍ ଅଲ୍ଟିମେଟ୍‌କୁ ଅଣାଯିବା ପରେ ଛାତିର ଏକ୍ସ-ରେ ପରୀକ୍ଷାରୁ ଡାହାଣ ପାର୍ଶ୍ୱ ଫୁସଫୁସ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଥିବା ଜଣାପଡ଼ିଥିଲା।

ଶିଶୁଟିର ସଙ୍କଟାପନ୍ନ ସ୍ଥିତିକୁ ଦୃଷ୍ଟିରେ ରଖି ହସ୍ପିଟାଲର ଇଏନ୍‌ଟି ଓ ସ୍କଲ୍ ବେସ୍ ସର୍ଜରୀ ବିଭାଗର ସିନିୟର କନ୍‌ସଲଟାଣ୍ଟ ଡାକ୍ତର ରାଧାମାଧବ ସାହୁ ‘ଏମର୍ଜେନ୍ସି ରିଜିଡ୍ ବ୍ରୋଙ୍କୋସ୍କୋପି’ କରିବାକୁ ନିଷ୍ପତ୍ତି ନେଇଥିଲେ। ମଞ୍ଜିଟିର ଆକାର ଶିଶୁର ଶ୍ୱାସନଳୀ ତୁଳନାରେ ବଡ଼ ଥିଲା ଏବଂ ଏହାର ଚିକ୍କଣ ପୃଷ୍ଠ ଯୋଗୁଁ ପ୍ରାରମ୍ଭିକ କେତେକ ପ୍ରୟାସରେ ଏହା ସହଜରେ ଧରାପଡ଼ିନଥିଲା। ତଥାପି ଡାକ୍ତର ସାହୁ ଅତ୍ୟନ୍ତ ଧୈର୍ଯ୍ୟ ଓ ନିଖୁଣତା ସହ ସ୍ୱତନ୍ତ୍ର ‘ଅପ୍ଟିକାଲ୍ ଫୋର୍ସେପ୍ସ’ ଯନ୍ତ୍ର ବ୍ୟବହାର କରି ମଞ୍ଜିଟିକୁ ବାହାର କରିବାରେ ସଫଳ ହୋଇଥିଲେ, ଯାହାଫଳରେ ଶିଶୁଟି ତୁରନ୍ତ ସ୍ୱାଭାବିକ ଭାବେ ନିଶ୍ୱାସ ନେଇପାରିଥିଲା।

ଡାକ୍ତର ସାହୁ ପ୍ରକାଶ କରିଛନ୍ତି ଯେ, ୧୦ ମାସର ଶିଶୁଠାରେ ବ୍ରୋଙ୍କୋସ୍କୋପି କରିବା ଅତ୍ୟନ୍ତ ଆହ୍ୱାନପୂର୍ଣ୍ଣ ପ୍ରକ୍ରିୟା ଥିଲା, କିନ୍ତୁ ସ୍ୱତନ୍ତ୍ର ଚିକିତ୍ସା ଉପକରଣ ଓ ଅଭିଜ୍ଞତା ବଳରେ ଏହି ପ୍ରତିବନ୍ଧକକୁ ଦୂର କରାଯାଇପାରିଲା। ଏହି ଜଟିଳ ଚିକିତ୍ସା ପ୍ରକ୍ରିୟାରେ ଆନାସ୍ଥେସିଆ ବିଭାଗର ଡାକ୍ତର ରଞ୍ଜିତ ପତି, ଶିଶୁରୋଗ ବିଭାଗର ଡାକ୍ତର ପ୍ରଦୀପ ଦେ ଓ ଡାକ୍ତର ହିମାଂଶୁଙ୍କ ସମେତ ସମ୍ପୂର୍ଣ୍ଣ ବହୁବିଭାଗୀୟ ଡାକ୍ତରୀ ଟିମ୍‌ର ବିଶେଷ ଅବଦାନ ରହିଥିଲା। ଅସ୍ତ୍ରୋପଚାର ପରେ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ଓ ସ୍ଥିର ଅଛି। ଏଥିସହ, ମଞ୍ଜି, ବାଦାମ ଓ ଅନ୍ୟାନ୍ୟ କ୍ଷୁଦ୍ର ବସ୍ତୁ ଶିଶୁଙ୍କ ହାତ ପାହାନ୍ତାରୁ ଦୂରରେ ରଖିବା ପାଇଁ ଡାକ୍ତର ସାହୁ ଅଭିଭାବକମାନଙ୍କୁ ପରାମର୍ଶ ଦେଇଛନ୍ତି।

ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ^ନାୟକ ଏହି ଜଟିଳ ମାମଲାର ସଫଳ ପରିଚାଳନା ପାଇଁ ସମଗ୍ର ଡାକ୍ତରୀ ଟିମ୍‌କୁ ସାଧୁବାଦ ଜଣାଇବା ସହ ଏହାକୁ ହସ୍ପିଟାଲର ଉଚ୍ଚମାନର ଚିକିତ୍ସା ଦକ୍ଷତାର ପ୍ରମାଣ ବୋଲି କହିଛନ୍ତି। ସେହିପରି ସମ୍ ଅଲ୍ଟିମେଟ୍ ମେଡିକେୟାରର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ କହିଛନ୍ତି ଯେ, ଶିଶୁଙ୍କ ଜରୁରୀକାଳୀନ ଚିକିତ୍ସାରେ ପ୍ରତ୍ୟେକ ସେକେଣ୍ଡ ଅତି ମୂଲ୍ୟବାନ। ସୋଆ ଓ ସମ୍ ଅଲ୍ଟିମେଟ୍ ପରିବାର ଶିଶୁଟିକୁ ନୂଆ ଜୀବନ ଦେଇପାରିଥିବାରୁ ଗର୍ବିତ ଏବଂ ରୋଗୀଙ୍କୁ ସର୍ବୋତ୍ତମ ସେବା ଯୋଗାଇବା ପାଇଁ ସଦାସର୍ବଦା ପ୍ରତିବଦ୍ଧ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments