ଭୁବନେଶ୍ୱର, ୨୬ ଜୁଲାଇ ୨୦୨୬: ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ଅଙ୍ଗସଂସ୍ଥା ୟଙ୍ଗ ଇଣ୍ଡିଆନ୍ସ (ୱାଇଆଇ) ଭୁବନେଶ୍ୱର ଚାପ୍ଟର ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମ୍ସ୍ଥିତ ଟେନିସ ଅଡିଟୋରିୟମଠାରେ ଆୟୋଜିତ ଦୁଇଦିନିଆ ‘ୟଙ୍ଗ ଇଣ୍ଡିଆନ୍ସ ପାର୍ଲିଆମେଂଟ (ୱାଇଆଇପି) ୨୦୨୬’ ସଫଳତାର ସହ ଉଦ୍ଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଯୁବ ଶକ୍ତିର ନେତୃତ୍ୱ, ଶୃଙ୍ଖଳିତ ସଂସଦୀୟ ଚର୍ଚ୍ଚା ଏବଂ ନୀତିଗତ ବିଚାରବିମର୍ଶର ଏକ ଆକର୍ଷଣୀୟ ମଂଚ ପାଲଟିଥିଲା । ଉଦ୍ଯାପନୀ ଅଧିବେଶନରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର, ଉଚ୍ଚଶିକ୍ଷା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥି ଭାବେ ଆସନ ଗ୍ରହଣ କରିଥିଲେ । ୱାଇଆଇ ଭୁବନେଶ୍ୱରର ଅଧ୍ୟକ୍ଷ ଶ୍ରୀ ଗୌରବ ଗୋୟଲ ଅତିଥିମାନଙ୍କୁ ଆନୁଷ୍ଠାନିକ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ଦୁଇଦିନିଆ ସଂସଦୀୟ ଅଧିବେଶନର ମୁଖ୍ୟ ଉଦ୍ଦେଶ୍ୟ ପ୍ରକାଶ କରିଥିଲେ ଏବଂ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀଙ୍କ ସକ୍ରିୟ ଯୋଗଦାନ ଓ ଆତ୍ମବିଶ୍ୱାସକୁ ସାଧୁବାଦ ଜଣାଇଥିଲେ ।

ସମ୍ବୋଧନ ପ୍ରସଙ୍ଗରେ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଛାତ୍ରଛାତ୍ରୀମାନଙ୍କୁ ଶାସନ ପ୍ରକ୍ରିୟାରେ ସାମିଲ ହେବା ସହ ରାଷ୍ଟ୍ର ନିର୍ମାଣରେ ନିଜ ନିଜର ବୁଦ୍ଧିମତ୍ତା ଓ ଅଭିନବ ଚିନ୍ତାଧାରା ପ୍ରୟୋଗ କରିବାକୁ ପରାମର୍ଶ ଦେଇଥିଲେ । ଏହି ସଂସଦୀୟ ମଂଚରେ ରାଜ୍ୟର ପ୍ରମୁଖ ବିଦ୍ୟାଳୟଗୁଡ଼ିକରୁ ୧୯୦ରୁ ଊର୍ଦ୍ଧ୍ୱ ଛାତ୍ର ପ୍ରତିନିଧି ଯୋଗଦେଇଥିଲେ । ସେମାନେ ଉଦ୍ଘାଟନୀ ଅଭିଭାଷଣ, ପ୍ରଶ୍ନକାଳ, ଶୂନ୍ୟକାଳ, ବିଲ୍ ଆଗତ ଏବଂ ଭୋଟ୍ ଗ୍ରହଣ ଭଳି ପ୍ରକ୍ରିୟାରେ ପ୍ରତ୍ୟକ୍ଷ ଭାବେ ଭାଗନେଇ ନିଜର ନେତୃତ୍ୱ ଓ ବକ୍ତୃତା ଦକ୍ଷତାର ପରିଚୟ ଦେଇଥିଲେ । ସଂସଦୀୟ ଶୈଳୀରେ ପ୍ରଶାସନିକ ନୀତିକୁ ନେଇ ପ୍ରଶ୍ନ କରିବା ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକର ସମାଧାନ ପ୍ରସ୍ତାବ ଦେବା ପାଇଁ ଏହି କାର୍ଯ୍ୟକ୍ରମ ଛାତ୍ରପ୍ରତିନିଧିମାନଙ୍କୁ ଏକ ସୁନ୍ଦର ସୁଯୋଗ ଯୋଗାଇ ଦେଇଥିଲା ।

ଉଦ୍ଯାପନୀ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଛାତ୍ର ପ୍ରତିନିଧିମାନଙ୍କୁ ବିଶେଷ ସମ୍ମାନ ଓ ଆୱାର୍ଡ ପ୍ରଦାନ କରାଯାଇଥିଲା । ଏହାବାଦ୍ ସଂସଦୀୟ ଅଧିବେଶନଗୁଡ଼ିକର ସୂଚାରୁ ମୂଲ୍ୟାୟନ ପାଇଁ ଜୁରୀ ସଦସ୍ୟମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଆୟୋଜକ, ବିଶିଷ୍ଟ ଅତିଥି, ଜୁରୀ ମଣ୍ଡଳୀ, ଅଂଶଗ୍ରହଣକାରୀ ସ୍କୁଲଗୁଡ଼ିକ, ସ୍ୱେଚ୍ଛାସେବୀ ଓ ପ୍ରତ୍ୟେକ ପ୍ରତ୍ୟକ୍ଷ ଓ ପରୋକ୍ଷ ସହଯୋଗୀଙ୍କୁ ଧନ୍ୟବାଦ ଜ୍ଞାପନ ପୂର୍ବକ ସମାରୋହର ସାଙ୍ଗ କରାଯାଇଥିଲା ।




