ନୂଆଦିଲ୍ଲୀ, ଜୁଲାଇ ୨୬, ୨୦୨୬: ଦେଶର ଅଗ୍ରଣୀ ଶିଳ୍ପପତି ନବୀନ ଜିନ୍ଦଲଙ୍କ ନେତୃତ୍ୱାଧୀନ ଜିନ୍ଦଲ ଷ୍ଟିଲ୍ ଲିମିଟେଡ୍ (ପୂର୍ବରୁ ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର ଲିମିଟେଡ୍) ଏହାର ବ୍ୟବସାୟିକ ସମ୍ପ୍ରସାରଣ ଓ ପରିଚାଳନା କ୍ଷମତାକୁ ଆହୁରି ସୁଦୃଢ଼ କରିବା ପାଇଁ ଶୀର୍ଷ ନେତୃତ୍ୱ ମଣ୍ଡଳୀରେ ଏକ ବ୍ୟାପକ ରଦବଦଲ କରିଛି। ଜୁଲାଇ ୨୪, ୨୦୨୬ରେ ଅନୁଷ୍ଠିତ ବୋର୍ଡ ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଇସ୍ପାତ, ଶକ୍ତି ଓ ଖଣି କ୍ଷେତ୍ରରେ ୪୦ ବର୍ଷରୁ ଉଦ୍ଧ୍ୱର୍ ଅଭିଜ୍ଞତାସମ୍ପନ୍ନ ଶିଳ୍ପ ଟେକ୍ନୋକ୍ରାଟ୍ ଶ୍ରୀଯୁକ୍ତ ବିଦ୍ୟା ରତନ ଶର୍ମାଙ୍କୁ ଦୁଇ ବର୍ଷ ପାଇଁ କମ୍ପାନୀର ଅତିରିକ୍ତ ନିର୍ଦ୍ଦେଶକ ଏବଂ ପରିଚାଳନା ନିର୍ଦ୍ଦେଶକ ଭାବରେ ପୁନଃନିଯୁକ୍ତ କରାଯାଇଛି, ଯାହା ଜୁଲାଇ ୨୪, ୨୦୨୬ରୁ କାର୍ଯ୍ୟକାରୀ ହୋଇଛି। ଶ୍ରୀ ଶର୍ମା ପୂର୍ବରୁ ୨୦୧୯ ରୁ ୨୦୨୨ ପର୍ଯ୍ୟନ୍ତ ଏମଡି ଏବଂ ୨୦୧୦ ରୁ ୨୦୧୪ ପର୍ଯ୍ୟନ୍ତ ଡେପୁଟି ଏମଡି ଓ ସିଇଓ ଭାବେ ସଫଳତାର ସହ କାର୍ଯ୍ୟ କରିସାରିଛନ୍ତି।
ଏହି ପୁନର୍ଗଠନ ପ୍ରକ୍ରିୟାରେ ହିନ୍ଦୁସ୍ତାନ ଜିଙ୍କ୍ ଓ ବାଲ୍କୋ ଭଳି ପ୍ରତିଷ୍ଠିତ ସଂସ୍ଥାରେ ଦୁଇ ଦଶନ୍ଧିରୁ ଅଧିକ ସମୟ ବିତ୍ତୀୟ ନେତୃତ୍ୱ ଦେଇଥିବା ଶ୍ରୀ ସନ୍ଦୀପ ମୋଦିଙ୍କୁ ନୂତନ ମୁଖ୍ୟ ବିତ୍ତୀୟ ଅଧିକାରୀ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ପୂର୍ବତନ ଅନ୍ତରୀଣ ସିଏଫଓ ଶ୍ରୀ ସୁନୀଲ ଅଗ୍ରୱାଲ ଅର୍ଥ ବିଭାଗ ମଧ୍ୟରେ ଅନ୍ୟ ପ୍ରମୁଖ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେହିପରି ଟାଟା ଷ୍ଟିଲ୍ ଓ ବେଦାନ୍ତରେ ୩୫ ବର୍ଷର କାର୍ଯ୍ୟାଭିଜ୍ଞତା ଥିବା ମେଟାଲର୍ଜିକଲ ଇଞ୍ଜିନିୟର ଶ୍ରୀ ରାଜୀବ କୁମାରଙ୍କୁ ସମସ୍ତ ପ୍ଲାଣ୍ଟ ଓ ଖଣିର କାର୍ଯ୍ୟ ପରିଚାଳନା ପାଇଁ ମୁଖ୍ୟ ପରିଚାଳନା ଅଧିକାରୀ ଏବଂ ଇଣ୍ଡିଗୋ ଓ ଏୟାରଟେଲ ଭଳି ପ୍ରମୁଖ ବ୍ରାଣ୍ଡରେ ୩୦ ବର୍ଷର ଏଚଆର ଅଭିଜ୍ଞତାସମ୍ପନ୍ନ ଶ୍ରୀ ସୁଖଜିତ୍ ଏସ୍. ପସରିଚାଙ୍କୁ ମାନବ ସମ୍ବଳ ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ଏତଦ୍ବ୍ୟତୀତ, ସେୟାରହୋଲ୍ଡରଙ୍କ ଅନୁମୋଦନ କ୍ରମେ ଆଗାମୀ ୪୭ତମ ଏଜିଏମ ଠାରୁ ୫୨ତମ ଏଜିଏମ ପର୍ଯ୍ୟନ୍ତ ୫ ବର୍ଷିଆ ଅବଧି ପାଇଁ ଏସ.ଏସ. କୋଠାରୀ ମେହେଟ୍ଟା ଏଣ୍ଡ କୋ ଏଲଏଲପିଙ୍କୁ କମ୍ପାନୀର ବୈଧାନିକ ଅଡିଟର ଭାବେ ନିଯୁକ୍ତି ଦେବାକୁ ବୋର୍ଡ ସୁପାରିସ କରିଛି।



