ଭୁବନେଶ୍ୱର, ଜୁଲାଇ ୨୪: ଉପକୂଳବର୍ତ୍ତୀ ପଶ୍ଚିମବଙ୍ଗ ଏବଂ ଏହାର ଆଖପାଖ ବଙ୍ଗୋପସାଗରୀୟ ସମୁଦ୍ର ମଧ୍ୟରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସମେତ ଉତ୍ତର ଉପକୂଳ ଓଡ଼ିଶା ଓ ପଶ୍ଚିମବଙ୍ଗ ସୀମାନ୍ତ ଅଞ୍ଚଳରେ ଆଉ ଏକ ଲଘୁଚାପ କ୍ଷେତ୍ର ଗଠନ ହେବାକୁ ଯାଉଛି। ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ସଞ୍ଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଏସି) ର ପାଣିପାଗ ଆକଳନ ଅନୁସାରେ, ଏହି ପ୍ରଣାଳୀ ଯୋଗୁଁ ଜୁଲାଇ ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଉତ୍ତର ଓ ପଶ୍ଚିମ ଭାଗରେ ଥିବା ଜିଲ୍ଲାଗୁଡ଼ିକରେ ବର୍ଷାର ପରିମାଣ ଯଥେଷ୍ଟ ବୃଦ୍ଧି ପାଇବ।
ଏହି ସମୟ ମଧ୍ୟରେ ଅନେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ସହିତ କିଛି ସ୍ଥାନରେ ସାଙ୍ଘାତିକ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ବିଶେଷ କରି ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ଭଳି ଓଡ଼ିଶାର ପ୍ରମୁଖ ନଦୀଗୁଡ଼ିକର ଅବବାହିକା ଅଞ୍ଚଳରେ ଉଲ୍ଲେଖନୀୟ ପରିମାଣର ବୃଷ୍ଟିପାତ ହେବାକୁ ଥିବାରୁ ଏହା ପ୍ରଶାସନ ଓ ନଦୀକୂଳିଆ ଅଞ୍ଚଳର ଅଧିବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି।



