ଭୁବନେଶ୍ୱର (୨୦.୦୭.୨୦୨୬): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଉତ୍କଳ ରଙ୍ଗମଞ୍ଚଠାରେ ଆୟୋଜିତ ଶ୍ରୀ ଜଗନ୍ନାଥଙ୍କ ଭକ୍ତି ସଙ୍ଗୀତ ସମାରୋହ ‘ଗୁହାରି ୨୦୨୬’ର ଉଦ୍ଯାପନୀ ସଂଧ୍ୟା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ସଂଧ୍ୟାରେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ (କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ବିଭାଗ) ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତର ବିଶିଷ୍ଟ ଗୁରୁ ପଣ୍ଡିତ ଗୋପାଳ ଚନ୍ଦ୍ର ପଣ୍ଡା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀଯୁକ୍ତ ଦେବ ପ୍ରସାଦ ଦାଶ, ଉପ ନିର୍ଦ୍ଦେଶିକା ଶ୍ରୀମତୀ ଦେବଯାନୀ ଭୂୟାଁ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଶ୍ରୀମତୀ ସୁଚିସ୍ମିତା ମନ୍ତ୍ରୀ ଅତିଥି ଭାବେ ଯୋଗଦେଇ ପ୍ରଭୁ ଜଗନ୍ନାଥଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟିକୁ ଡ଼କ୍ଟର ଶ୍ରୀନିବାସ ଘଟୁଆରୀ ଓ ଶ୍ରୀ ମୋହନ ମାଜିଠିଆ ସୁଚାରୁ ରୂପେ ସଂଚାଳନ କରିଥିଲେ।

ଉଦ୍ଯାପନୀ ସଂଧ୍ୟାରେ ଶ୍ରୀ ଜଗନ୍ନାଥଙ୍କୁ ଆଧାର କରି ଗାୟକ-ଗାୟିକାମାନଙ୍କ ଭକ୍ତିରସାତ୍ମକ ସଙ୍ଗୀତ ପରିବେଷଣ ସମଗ୍ର ପରିବେଶକୁ ଭକ୍ତିମୟ କରିତୋଳିଥିଲା। ସନ୍ଧ୍ୟାର ପ୍ରଥମ ଗାୟକ ବିଶିଷ୍ଟ ଓଡ଼ିଶୀ ସଙ୍ଗୀତଜ୍ଞ ଗୁରୁ ପ୍ରଫେସର ରାମହରି ଦାସ ଚନ୍ଦନ ହଜୁରିଙ୍କ ରଚନା ‘ଚନ୍ଦନ ଲାଗି ସମୟେ ଚିନ୍ତା ଚିନ୍ତାମଣୀକି’ ଏବଂ ଭୀମ ଭୋଇଙ୍କ ‘ଶ୍ୟାମଳ ରୂପ ବନାଉ ସୁନ୍ଦର’ ପରିବେଷଣ କରିଥିଲେ। ପରେ ମିନାକ୍ଷୀ ରଥ ଅଭିରାମ ପରମହଂସଙ୍କ ‘ଶ୍ୟାମ ପ୍ରେମ ବଡ ମିଠା’ ଓ ରାମକୃଷ୍ଣ ନନ୍ଦଙ୍କ ‘ଦୟାକର ଦୀନବନ୍ଧୁ’ ଗାୟନ କରିଥିଲେ। ସୁଶାନ୍ତ କୁମାର ପଣ୍ଡା ଦୀନକୃଷ୍ଣ ଦାସଙ୍କ ‘ଜୟ ଜଗବନ୍ଧୁ ହେ ଯଦୁନନ୍ଦନ’ ଓ ଗୌରଚରଣଙ୍କ ‘ମହାବାହୁ ଅଖୀଳ ଜଗତନାଥ’ ପରିବେଷଣ କରିଥିଲେ। କଣ୍ଠଶିଳ୍ପୀ ପ୍ରଜ୍ଞା ହୋତା ‘ଦୟାକର ଦୀନବନ୍ଧୁ’ ଓ ‘ଆହେ ନୀଳଗିରି’ ଗାଇ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। କରୁଣାକର ସେଠୀ ‘ମେଘ ମାଳ କୁ ନିନ୍ଦେ କଳାକୁ’ ଓ ‘ନୀଳଚକ୍ରେ ହୋ ଦେଖ ଉଡୁଛି ବାନା’ ପରିବେଷଣ କରିଥିବା ବେଳେ ଶ୍ରଦ୍ଧାଞ୍ଜଳୀ ସାହୁ ‘ଚାଲ ସଖୀ ଆମେ ଦର୍ଶନ କରିବା’ ଓ ‘ଦୁଃଖନାଶନହେ’ ଗାୟନ କରିଥିଲେ। ଅଜୟ କୁମାର ଶତପଥୀ ‘ହେ ମଣିମା ଶୁଣିମା ମୋ ଦୁଃଖ ବାରେ’ ଓ ‘ସବୁଥିରୁ ବଞ୍ଚିତ କରି’, ସୌମ୍ୟା ସମାପ୍ତା ମିଶ୍ର ‘ମଣୀ ବିମାନେ ଗୋବିନ୍ଦ’ ଓ ‘କାଳିଆ କାହ୍ନୁ ଆଉ ବିଳମ୍ବ’ ଏବଂ ଶେଷରେ ଅସିତ କୁମାର ନନ୍ଦ ‘ତୁମ୍ଭ ଶ୍ରୀଭୂଜେ ଦୟାଣା’ ଓ ‘ମୋତେ ସେହି ରୂପ ଦେଖା ହରି’ ଗାୟନ କରି ଦର୍ଶକଙ୍କୁ ବିମୋହିତ କରିଥିଲେ। ଏହି ଶିଳ୍ପୀମାନଙ୍କୁ ତବଲାରେ ଜଗନ୍ନାଥ ଦାସ, ଢୋଲକରେ ସୁରେଶ କୁମାର ଦଳେଇ, ବଂଶୀରେ ଅଭିରାମ ନନ୍ଦ, ଅକ୍ଟୋପ୍ୟାଡ଼ରେ ଘନଶ୍ୟାମ ପୃଷ୍ଟି, କିବୋର୍ଡ଼ରେ ଜଗନ୍ନାଥ ମହାନ୍ତି ଏବଂ ହାରମୋନିୟମରେ ବଟକୃଷ୍ଣ ଦାସ ସହଯୋଗ କରିଥିଲେ। ‘ଗୁହାରି ୨୦୨୬’ର ଏହି ସଫଳ ସମାପନ ଓଡ଼ିଶାର ସମୃଦ୍ଧ ଭକ୍ତିମୟ ସଙ୍ଗୀତ ପରମ୍ପରା ଏବଂ ପ୍ରଭୁ ଜଗନ୍ନାଥଙ୍କ ଚିରସ୍ଥାୟୀ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଓ ପ୍ରୋତ୍ସାହନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ଭାବେ ସାବ୍ୟସ୍ତ ହୋଇଛି।



