Homeସ୍ୱାସ୍ଥ୍ୟ ଓ ଜୀବନଚର୍ଯ୍ୟାଏମ୍‌ସ ଭୁବନେଶ୍ୱର ଦେଶର ଦ୍ୱିତୀୟ ସର୍ବାଧିକ ପ୍ରଗତିଶୀଳ ମେଡିକାଲ କଲେଜର ମାନ୍ୟତା ସହ ନୂଆ ମାଇଲଖୁଣ୍ଟ...

ଏମ୍‌ସ ଭୁବନେଶ୍ୱର ଦେଶର ଦ୍ୱିତୀୟ ସର୍ବାଧିକ ପ୍ରଗତିଶୀଳ ମେଡିକାଲ କଲେଜର ମାନ୍ୟତା ସହ ନୂଆ ମାଇଲଖୁଣ୍ଟ ସ୍ଥାପନ

ଭୁବନେଶ୍ୱର, ୧୫/୦୭/୨୦୨୬: ଦେଶର ଅଗ୍ରଣୀ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଏମ୍‌ସ ଭୁବନେଶ୍ୱର ପକ୍ଷରୁ ଆଜି ସ୍ୱାସ୍ଥ୍ୟସେବା, ଚିକିତ୍ସା ଶିକ୍ଷା, ଗବେଷଣା, ଡିଜିଟାଲ୍ ନବସୃଜନ ଏବଂ ରୋଗୀ ସେବାରେ ସଫଳତାର ଆଉ ଏକ ସ୍ୱର୍ଣ୍ଣିମ ବର୍ଷ ପୂର୍ତ୍ତି ଅବସରରେ ଏହାର ୧୪ତମ ପ୍ରତିଷ୍ଠା ଦିବସ ଅତ୍ୟନ୍ତ ସମାରୋହରେ ପାଳିତ ହୋଇଯାଇଛି। ଏହି ଗରିମାମୟ ମହୋତ୍ସବରେ ଏମ୍‌ସ ନାଗପୁରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ପ୍ରଶାନ୍ତ ପି. ଯୋଶୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ସ୍ୱଳ୍ପ ସମୟ ମଧ୍ୟରେ ଏମ୍‌ସ ଭୁବନେଶ୍ୱର ସ୍ୱାସ୍ଥ୍ୟ ଓ ଗବେଷଣା କ୍ଷେତ୍ରରେ ସାରା ଦେଶରେ ଏକ ଶ୍ରେଷ୍ଠ ଉତ୍କର୍ଷ କେନ୍ଦ୍ର ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛି ଏବଂ ଅନ୍ୟ ପ୍ରତିଷ୍ଠାନଗୁଡ଼ିକ ପାଇଁ ଏକ ମାର୍ଗଦର୍ଶକ ସାଜିଛି। ସେ ଏହି ଅନନ୍ୟ ରୂପାନ୍ତରଣ ପାଇଁ ଅନୁଷ୍ଠାନର ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଓ ସମର୍ପିତ ଦଳଗତ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବରେ ଏମ୍‌ସ ଭୋପାଳର ଅଧ୍ୟକ୍ଷ ତଥା ଏମ୍‌ସ ଭୁବନେଶ୍ୱରର ପ୍ରଥମ ନିର୍ଦ୍ଦେଶକ ଡ. ଅଶୋକ କୁମାର ମହାପାତ୍ର ଯୋଗ ଦେଇ ପ୍ରତିଷ୍ଠାନର ପ୍ରାରମ୍ଭିକ ଦିନରୁ ଆରମ୍ଭ କରି ବର୍ତ୍ତମାନର ଗୌରବମୟ ଯାତ୍ରାକୁ ପ୍ରଶଂସା କରିବା ସହ ଉତ୍କର୍ଷତାକୁ ବଜାୟ ରଖିବା ପାଇଁ ନିରନ୍ତର ପରିଶ୍ରମ ଓ ନବସୃଜନ ଉପରେ ଗୁରୁତ୍ୱାରୋପ କରିଥିଲେ।

ଏହି ଅବସରରେ ଏମ୍‌ସ ଭୁବନେଶ୍ବରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ସମଗ୍ର ଏମ୍‌ସ ପରିବାରକୁ ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତରେ ମେଡିକାଲ କ୍ଷେତ୍ରରେ ନୂତନ ସଫଳତା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ସମାରୋହର ମଞ୍ଚରେ ଡିନ୍ (ଏକାଡେମିକ୍) ଡ. ଦିଲ୍ଲୀପ କୁମାର ପରିଡ଼ା, ମେଡିକାଲ୍ ଅଧୀକ୍ଷକ ଡ. ପ୍ରଭାସ ରଞ୍ଜନ ତ୍ରିପାଠୀ, ଡିନ୍ (ପରୀକ୍ଷା) ଡ. ମନସ୍ୱିନୀ ମଙ୍ଗରାଜ, ଡିନ୍ (ଗବେଷଣା) ଡ. ବୈଜୟନ୍ତୀମାଳା ମିଶ୍ର ଏବଂ ଡିଡିଏ ଲେଫ୍ଟନାଣ୍ଟ କର୍ଣ୍ଣେଲ ଅଭିଜିତ ସରକାର ପ୍ରମୁଖ ଉପସ୍ଥିତ ରହି ଚିକିତ୍ସା ଶିକ୍ଷା ଓ ପ୍ରଶାସନିକ ଉନ୍ନତି ସମ୍ପର୍କରେ ନିଜର ମତ ରଖିଥିଲେ। ବର୍ତ୍ତମାନ ଏମ୍‌ସ ଭୁବନେଶ୍ୱର ଜାତୀୟ ସ୍ତରରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ବେଳେ ଏଠାରେ ଦୈନିକ ହାରାହାରି ୫,୫୦୦ ରୁ ଅଧିକ ରୋଗୀ ଓପିଡି ପରାମର୍ଶ ଲୋଡୁଛନ୍ତି। ବିଗତ ବର୍ଷକ ମଧ୍ୟରେ ଏହି ହସ୍ପିଟାଲରେ ଏକ ବ୍ୟାପକ ଲିଭର ଟ୍ରାନ୍ସପ୍ଲାଣ୍ଟ କାର୍ଯ୍ୟକ୍ରମ ସଫଳତାର ସହ ଆରମ୍ଭ କରାଯିବା ସହ ଅତ୍ୟାଧୁନିକ ସର୍ଜିକାଲ ରୋବୋଟିକ୍ ସିଷ୍ଟମ୍ ମାଧ୍ୟମରେ ୧୦୦ରୁ ଅଧିକ ରୋବୋଟିକ୍ ଅସ୍ତ୍ରୋପଚାର ସମ୍ପନ୍ନ କରାଯାଇଛି, ଯାହା ଚିକିତ୍ସା କ୍ଷେତ୍ରରେ ଏକ ବିପ୍ଳବ ଆଣିଛି।

ଏହି ଉଲ୍ଲେଖନୀୟ ପ୍ରଗତିର ପ୍ରତିଫଳନ ସ୍ୱରୂପ, ସମ୍ପ୍ରତି ପ୍ରତିଷ୍ଠିତ ଜାତୀୟ ଗଣମାଧ୍ୟମ ଅନୁଷ୍ଠାନ ‘ଇଣ୍ଡିଆ ଟୁଡେ-ଏମ୍‌ଡିଆର୍‌ଏ’ ସର୍ଭେ ୨୦୨୬ରେ ଏମ୍‌ସ ଭୁବନେଶ୍ୱରକୁ ଦେଶର ଦ୍ୱିତୀୟ ସର୍ବାଧିକ ଉନ୍ନତ ମେଡିକାଲ କଲେଜ ଭାବେ ମାନ୍ୟତା ମିଳିଛି। ପ୍ରତିଷ୍ଠା ଦିବସ ପାଳନ ଅବସରରେ ଆଜି ସକାଳେ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତୀରେ ଶ୍ରଦ୍ଧାଞ୍ଜଳି ପୂର୍ବକ ମାଲ୍ୟାର୍ପଣ କରିଥିଲେ। ସୂଚନାଯୋଗ୍ୟ ଯେ, ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ୧୫ ଜୁଲାଇ ୨୦୦୩ରେ ଏମ୍‌ସ ଭୁବନେଶ୍ୱରର ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ ଏବଂ ଏହା ୨୦୧୨ରେ କାର୍ଯ୍ୟକ୍ଷମ ହୋଇ ୨୦୧୪ ମସିହାରୁ ଆନୁଷ୍ଠାନିକ ଭାବେ ରୋଗୀସେବା ପ୍ରଦାନ କରିଆସୁଛି। ସାରା ଭାରତରେ ଏମ୍‌ସ ଭୁବନେଶ୍ୱର ହିଁ ଏକମାତ୍ର ଏମ୍‌ସ, ଯାହାର ଭିତ୍ତିପ୍ରସ୍ଥର ସ୍ୱୟଂ ଶ୍ରୀ ବାଜପେୟୀଙ୍କ ଦ୍ୱାରା ସ୍ଥାପନ କରାଯାଇଥିଲା।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments