Homeମନୋରଞ୍ଜନଇତିହାସ ରଚିଲେ କିଟ୍ ଛାତ୍ରୀ ଜ୍ୟୋତିର୍ମୟୀ: ପ୍ରଥମ ଓଡ଼ିଆ ଭାବେ ‘ଇଣ୍ଡିଆନ୍ ଆଇଡଲ୍‌’ ଗ୍ରାଣ୍ଡ ଫିନାଲେରେ...

ଇତିହାସ ରଚିଲେ କିଟ୍ ଛାତ୍ରୀ ଜ୍ୟୋତିର୍ମୟୀ: ପ୍ରଥମ ଓଡ଼ିଆ ଭାବେ ‘ଇଣ୍ଡିଆନ୍ ଆଇଡଲ୍‌’ ଗ୍ରାଣ୍ଡ ଫିନାଲେରେ ପ୍ରବେଶ

ଭୁବନେଶ୍ୱର, ୧୫ ଜୁଲାଇ (୨୦୨୬): ଜାତୀୟ ସ୍ତରର ପ୍ରସିଦ୍ଧ ସଂଗୀତ ରିଆଲିଟି ଶୋ ‘ଇଣ୍ଡିଆନ୍ ଆଇଡଲ୍‌’ ସିଜନ୍ ୧୬ର ଗ୍ରାଣ୍ଡ ଫିନାଲେରେ ପ୍ରବେଶ କରି ଇତିହାସ ରଚିଥିବା ଓଡ଼ିଆ କଣ୍ଠଶିଳ୍ପୀ ତଥା କିଟ୍‍ ବିଶ୍ୱବିଦ୍ୟାଳୟର ଛାତ୍ରୀ ଜ୍ୟୋତିର୍ମୟୀ ନାୟକଙ୍କ ପାଇଁ ଆଜି ସାରା ଓଡ଼ିଶା ଗର୍ବିତ। ଏହି ଐତିହାସିକ ସଫଳତା ପରେ ପ୍ରଥମ କରି ଜନ୍ମମାଟି ଓଡ଼ିଶାକୁ ଫେରିଥିବା ଜ୍ୟୋତିର୍ମୟୀଙ୍କୁ ଭୁବନେଶ୍ୱରଠାରେ କିଟ୍‍ ଓ କିସ୍‍ ପକ୍ଷରୁ ଏକ ଅଭୂତପୂର୍ବ ତଥା ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।

ବୁଧବାର ସକାଳେ ବିମାନବନ୍ଦରରେ ତାଙ୍କର ଭବ୍ୟ ସ୍ୱାଗତ କରାଯିବା ସହ ଏକ ବିଶାଳ ଶୋଭାଯାତ୍ରାରେ ତାଙ୍କୁ ସହର ପରିକ୍ରମା କରାଇ ବାସଭବନକୁ ନିଆଯାଇଥିଲା। ଏହାପରେ ଅପରାହ୍ନରେ ତାଙ୍କ ନିଜ ଶିକ୍ଷାନୁଷ୍ଠାନ କିଟ୍ କ୍ୟାମ୍ପସରେ ଏକ ବିରାଟ ହୋମ୍‍କମିଂ ଉତ୍ସବର ଆୟୋଜନ ହୋଇଥିଲା। ସେ କ୍ୟାମ୍ପସରେ ପହଞ୍ଚିବା ପରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ତାଙ୍କୁ ସ୍ୱାଗତ କରିଥିଲେ ଏବଂ ଶତାଧିକ କର୍ମଚାରୀ ଓ ଛାତ୍ରଛାତ୍ରୀ ପାରମ୍ପରିକ ସଂଗୀତ ଓ ନୃତ୍ୟର ତାଳେ ତାଳେ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଜ୍ୟୋତିର୍ମୟୀ କିସ୍ ଶ୍ରୀବାଣୀକ୍ଷେତ୍ରସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ଯାଇ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ। ପରେ କିସ୍ କ୍ୟାମ୍ପସରେ ଜନଜାତି ଛାତ୍ରଛାତ୍ରୀମାନେ ନିଜର ପାରମ୍ପରିକ ନୃତ୍ୟଗୀତରେ ଜ୍ୟୋତିର୍ମୟୀଙ୍କୁ ଆଦର କରିଥିଲେ ଏବଂ ସେ ସେମାନଙ୍କ ଗହଣରେ ନିଜ କଣ୍ଠର ଯାଦୁ ବିଛାଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ।

ସନ୍ଧ୍ୟାରେ କିଟ୍ ଅଡିଟୋରିୟମରେ ଆୟୋଜିତ ଏକ ଗୌରବମୟ ସମାରୋହରେ ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜ୍ୟୋତିର୍ମୟୀ ଓ ତାଙ୍କ ପିତାମାତାଙ୍କୁ ଆନୁଷ୍ଠାନିକ ଭାବେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅଶୋକ ପତି, ଲୋକପ୍ରିୟ ଅଭିନେତା ଦେବାଶିଷ ପାତ୍ର, ପୁପିନ୍ଦର ସିଂହ, କଣ୍ଠଶିଳ୍ପୀ ସ୍ୱୟଂ ପାଢ଼ୀ, କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ ଓ କୁଳସଚିବ ପ୍ରଫେସର ଜ୍ଞାନରଞ୍ջନ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ।

କିଟ୍ ପ୍ରତିଷ୍ଠାତା ଶ୍ରୀ ସାମନ୍ତ ନିଜ ଅଭିଭାଷଣରେ କହିଥିଲେ ଯେ, ଇଣ୍ଡିଆନ୍ ଆଇଡଲ୍ ଇତିହାସରେ ଗ୍ରାଣ୍ଡ ଫିନାଲେରେ ପହଞ୍ଚିଥିବା ପ୍ରଥମ ଓଡ଼ିଆ ପ୍ରତିଯୋଗୀ ଭାବେ ଜ୍ୟୋତିର୍ମୟୀ ଓଡ଼ିଶାର ଟେକ ରଖିଛନ୍ତି ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ତଥା ସମଗ୍ର ଓଡ଼ିଶାବାସୀଙ୍କ ଶୁଭେଚ୍ଛା ବଳରେ ସେ ନିଶ୍ଚିତ ଭାବେ ଏହି ଜାତୀୟ ଟାଇଟଲ୍ ଜିତିବେ। ଏହି ସଫଳତା ଓଡ଼ିଶାର ସଂଗୀତ ଜଗତ ପାଇଁ ଏକ ଅବିସ୍ମରଣୀୟ ତଥା ଐତିହାସିକ ମାଇଲଖୁଣ୍ଟ ବୋଲି ସମସ୍ତ ଅତିଥି ମତବ୍ୟକ୍ତ କରିଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments