ଭୁବନେଶ୍ୱର, ୧୫/୦୭/୨୦୨୬: ରାଜ୍ୟର ସର୍ବାଙ୍ଗୀନ ବିକାଶ ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ ଏବଂ ସମୟବଦ୍ଧ କରିବା ଲକ୍ଷ୍ୟରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନଠାରେ ଏକ ଗୁରୁତ୍ୱପୂର୍ଣ୍ଣ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଂଜନ କୁମାର ସିଂଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ସଚିବମାନେ ଉପସ୍ଥିତ ରହି ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ। ବୈଠକ ଆରମ୍ଭରେ ମୁଖ୍ୟ ଶାସନ ସଚିବ ଚଳିତ ଜୁଲାଇ ମାସର ପ୍ରଥମ ପକ୍ଷରେ ହାସଲ ହୋଇଥିବା ପ୍ରମୁଖ ସଫଳତା ଯଥା ୟୁଏଇର ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ ଓ ଅଦାନୀ ଗ୍ରୁପ୍ ସହ ଗ୍ରିନ୍ଫିଲ୍ଡ ଆଲୁମିନିୟମ ପ୍ରକଳ୍ପ ପାଇଁ ଚୁକ୍ତି, ଜାପାନୀ କମ୍ପାନୀ ସହ ସବୁଜ ଶକ୍ତି ପ୍ରକଳ୍ପ ସହଯୋଗ, ପୂର୍ବ କ୍ଷେତ୍ରୀୟ ପରିଷଦର ବୈଠକ, ‘ଓଡ଼ିଶା ଡିପ୍ ସି ମିଶନ୍’ ଦସ୍ତାବିଜ୍ ଉନ୍ମୋଚନ, ମାଓବାଦୀ ଦମନରେ ସଫଳତା ପାଇଁ ଓଡ଼ିଶା ପୋଲିସକୁ କେନ୍ଦ୍ରୀୟ ସମ୍ମାନ ଏବଂ ପୁରୀ-କୋରାପୁଟ ଏକ୍ସପ୍ରେସ୍ର ଶୁଭାରମ୍ଭ ସମ୍ପର୍କରେ ଅବତାରଣା କରିଥିଲେ। ଏଥିସହ ପବିତ୍ର ଶ୍ରୀଗୁଣ୍ଡିଚା ରଥଯାତ୍ରାଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି ଓ ବ୍ୟବସ୍ଥାର ସୁପରିଚାଳନା ପାଇଁ ପ୍ରଶାସନିକ ସର୍ବୋତ୍ତମ ସେବା ଯୋଗାଇ ଦେବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହି ସମୀକ୍ଷା ଅବସରରେ ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀ ହେମ କାନ୍ତ ସାଏ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ତଥା ‘ସମୃଦ୍ଧ ମୟୂରଭଞ୍ଜ-ବିକଶିତ ଓଡ଼ିଶା’ ଅଭିଯାନ ଅଧୀନରେ ୨୫ଟି ପ୍ରାଥମିକତା ପ୍ରକଳ୍ପର ରୋଡ୍ମ୍ୟାପ୍ ଉପସ୍ଥାପନ କରିଥିଲେ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଦାଣ୍ଡବୋଷ ଓ ରାସଗୋବିନ୍ଦପୁର ଏୟାରଷ୍ଟ୍ରିପ୍ର ବିକାଶ, ବାଙ୍ଗିରିପୋଷି ଘାଟି ପ୍ରଶସ୍ତିକରଣ, ବାରିପଦାରେ ଅଟଳ ବସ୍ଷ୍ଟାଣ୍ଡ ଓ ବନ୍ୟା ସୁରକ୍ଷା ରିଙ୍ଗ ରୋଡ୍ ନିର୍ମାଣ, ବୁଢ଼ାବଳଙ୍ଗ ନଦୀ ବ୍ୟାରେଜ୍, ଖଇରିବନ୍ଧନ ଓ ଡେଙ୍ଗାମ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ବିଭିନ୍ନ ବ୍ଲକରେ କ୍ରୀଡ଼ା ଭିତ୍ତିଭୂମି ଓ ବିଦ୍ୟୁତ୍ ସଂସ୍କାର, ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଏବଂ ମୟୂରଭଞ୍ଜରେ ଓୟୁଏଟି କ୍ୟାମ୍ପସ ପ୍ରତିଷ୍ଠା ଆଦି ଅନ୍ତର୍ଭୁକ୍ତ। ଏଥିସହିତ ଜିଲ୍ଲାର ପ୍ରସିଦ୍ଧ ଶିମିଳିପାଳ ମହୁର ବ୍ରାଣ୍ଡିଂ, ସ୍ଥାନୀୟ ପାରମ୍ପରିକ ଖାଦ୍ୟର ପ୍ରସାର, ପର୍ଯ୍ୟଟନ ଶିଳ୍ପର ବିକାଶ ଏବଂ ସାଂସ୍କୃତିକ ଧରୋହର ସୁରକ୍ଷା ଜରିଆରେ ଜନଜାତି ବହୁଳ ଏହି ଜିଲ୍ଲାର ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରିବା ପାଇଁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ।
ଅନ୍ୟପଟେ, ରାଜ୍ୟରେ ବ୍ୟବସାୟିକ ଅନୁକୂଳ ବାତାବରଣ ସୃଷ୍ଟି କରିବା ପାଇଁ ‘ଡିରେଗୁଲେସନ୍ ୨.୦’ ଏବଂ ‘ଜନ ବିଶ୍ୱାସ ୨.୦’ ବିଧେୟକ ଅଧୀନରେ ପ୍ରଶାସନିକ ସରଳୀକରଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ରିପୋର୍ଟ ପ୍ରଦାନ କରିଥିଲେ। ଏହାସହ ‘ଓଡ଼ିଶା ଭିଜନ’କୁ ସଫଳ କରିବା ଉଦ୍ଦେଶ୍ୟରେ ମିଶନ ଶକ୍ତି ସଚିବ ଶ୍ରୀମତୀ ମାନସୀ ନିମ୍ଭାଲ ‘ସୁଭଦ୍ରା-ଲକ୍ଷପତି ଦିଦି’ କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାମାନଙ୍କର ଅର୍ଥନୈତିକ ସ୍ୱାବଲମ୍ବିତା, ଇ-କମର୍ସ ସଂଯୋଗୀକରଣ ଏବଂ ନୂତନ ସୁଭଦ୍ରା ଶକ୍ତି ବ୍ରାଣ୍ଡ ସୃଷ୍ଟି ଉପରେ ବିସ୍ତୃତ ଆଲୋଚନା କରିଥିଲେ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ସରକାରୀ ବିଭିନ୍ନ କାର୍ଯ୍ୟରେ ଅଧିକ ସାମିଲ କରିବା ସହ ସମସ୍ତ ତଥ୍ୟକୁ ‘ଡିଜିଟାଲ୍ କନଭର୍ଜେନ୍ସ ପୋର୍ଟାଲ୍’ରେ ନିୟମିତ ଅପଡେଟ୍ କରିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି। ଶେଷରେ, ବିଭିନ୍ନ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ୱୟ ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ସଫଳ ପ୍ରୟୋଗ କରି ସମସ୍ତ ଜନକଲ୍ୟାଣକାରୀ ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି।



