ଭୁବନେଶ୍ୱର, ୧୬ ଅଗଷ୍ଟ, ୨୦୨୬: ପାହାଳସ୍ଥିତ ମଦର୍ସ ପବ୍ଲିକ ସ୍କୁଲ୍, ଏସବି୧ ଗ୍ରୁପ୍ ଅଫ୍ କମ୍ପାନିଜ୍ର ମିଳିତ ସହଯୋଗରେ ଆଜି ଏକ ବିଶ୍ୱସ୍ତରୀୟ ଅତ୍ୟାଧୁନିକ ସ୍ପୋର୍ଟସ୍ ହବ୍ର ଶୁଭାରମ୍ଭ କରିଛି, ଯାହା ରାଜ୍ୟର ବିଦ୍ୟାଳୟ ସ୍ତରୀୟ କ୍ରୀଡ଼ା ଭିତ୍ତିଭୂମିରେ ଏକ ନୂତନ ମାନଦଣ୍ଡ ସୃଷ୍ଟି କରିଛି। ଏହି କ୍ରୀଡ଼ା କମ୍ପ୍ଲେକ୍ସର ଆନୁଷ୍ଠାନିକ ଉଦ୍ଘାଟନୀ ସମାରୋହରେ ଏସବି୧ ଗ୍ରୁପ୍ ଅଫ୍ କମ୍ପାନିଜ୍ର ଅଧ୍ୟକ୍ଷା ଶ୍ରୀମତୀ ବୈଜୟନ୍ତୀ ସାହୁ, ମଦର୍ସ ଗ୍ରୁପ୍ ଅଫ୍ ସ୍କୁଲ୍ସର ଅଧ୍ୟକ୍ଷା ଶ୍ରୀମତୀ ପଲି ପଟ୍ଟନାୟକ, ନିର୍ଦ୍ଦେଶକ ଶ୍ରୀ ଶ୍ରୀଜିତ୍ ପଟ୍ଟନାୟକ, ପରିଚାଳନା ନିର୍ଦ୍ଦେଶିକା ସୁଶ୍ରୀ ମିନତି ସାବତ, ଅଧ୍ୟକ୍ଷା ସୁଶ୍ରୀ ଚିତ୍ରା ଅଜୟ, ସହ-ପ୍ରତିଷ୍ଠାତା ଶ୍ରୀ ନବରଞ୍ଜନ ପଟ୍ଟନାୟକ ଏବଂ ପରିଚାଳନା ନିର୍ଦ୍ଦେଶିକା ସୁଶ୍ରୀ ଋତୁପର୍ଣ୍ଣା ପଟ୍ଟନାୟକ ଉପସ୍ଥିତ ଥିଲେ।
ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରକାଶ କରିଛନ୍ତି ଯେ, ଶିକ୍ଷା କେବଳ ପାଠ୍ୟପୁସ୍ତକ ମଧ୍ୟରେ ସୀମିତ ନ ରହି କ୍ରୀଡ଼ା ଓ ସଂସ୍କୃତି ଭଳି କାର୍ଯ୍ୟକଳାପକୁ ସୋପାନ କରିବା ଉଚିତ। ଏହି ନୂତନ ସ୍ପୋର୍ଟସ୍ ହବ୍ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ କ୍ରୀଡ଼ା ଲକ୍ଷ୍ୟ ପୂରଣରେ ବେଶ୍ ସହାୟତା କରିବ ଏବଂ ମଦର୍ସ ପବ୍ଲିକ ସ୍କୁଲ୍ ଏହି ଦିଗରେ ନିରନ୍ତର ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରୁଛି ବୋଲି ସେ ମତ ପ୍ରକାଶ କରିଛନ୍ତି।

ଉଦ୍ଘାଟନୀ ଅବସରରେ ଫୁଟବଲ୍, ଚେସ୍, ପିକଲ୍ବଲ୍, ଟେନିସ୍ ଏବଂ ସନ୍ତରଣକୁ ନେଇ ଆୟୋଜିତ ଦୁଇ ଦିନିଆ ପ୍ରତିଯୋଗିତାରେ ସାରା ରାଜ୍ୟରୁ ୧,୦୦୦ରୁ ଊର୍ଦ୍ଧ୍ୱ ଛାତ୍ର-ଖେଳାଳି ଅଂଶଗ୍ରହଣ କରିଥିଲେ। ଉଦ୍ଯାପନୀ ଉତ୍ସବରେ ମାନ୍ୟବର ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଜଗନ୍ନାଥ ପ୍ରଧାନ ଏବଂ ଏସ୍ଆର୍ବି ଆଣ୍ଡ ଆସୋସିଏଟ୍ସର ଅଂଶୀଦାର ଶ୍ରୀ ରାଜୀବ ଶେଖର ସାହୁ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ଏହି ସୁବିଧା ସମ୍ପର୍କରେ ଶ୍ରୀମତୀ ବୈଜୟନ୍ତୀ ସାହୁ କହିଛନ୍ତି ଯେ, ଏହା ପିଲାଙ୍କ ଚରିତ୍ର ଗଠନ, ଧୈର୍ଯ୍ୟ ଏବଂ ନେତୃତ୍ୱର ବିକାଶ ପାଇଁ ଏକ ଦୃଢ଼ ମଞ୍ଚ ଯୋଗାଇବ। ଅପରପକ୍ଷରେ ଶ୍ରୀମତୀ ପଲି ପଟ୍ଟନାୟକ ବ୍ୟକ୍ତ କରିଛନ୍ତି ଯେ, ଏହି ପ୍ରକଳ୍ପ ଛାତ୍ରଛାତ୍ରୀଙ୍କୁ ବିଶ୍ୱସ୍ତରୀୟ ସୁଯୋଗ ଦେବା ସହ ସେମାନଙ୍କ ମଧ୍ୟରେ ଶୃଙ୍ଖଳା ଓ ଦଳଗତ ମନୋଭାବ ଗଢ଼ିତୋଳିବା ପାଇଁ ଅନୁଷ୍ଠାନର ସଂକଳ୍ପକୁ ଆହୁରି ମଜବୁତ୍ କରୁଛି।
ଏହି ସ୍ପୋର୍ଟସ୍ କମ୍ପ୍ଲେକ୍ସରେ ଓଡ଼ିଶାର ପ୍ରଥମ ସ୍କୁଲ-ସ୍ତରୀୟ ଗଲ୍ଫ ପ୍ରଶିକ୍ଷଣ ବ୍ୟବସ୍ଥା ଏବଂ ୪ଟି ସ୍ୱତନ୍ତ୍ର ପିକଲ୍ବଲ୍ କୋର୍ଟ ନିର୍ମାଣ କରାଯାଇଛି। ଏହା ସହିତ ସୁଇମିଂ ପୁଲ୍, ଫୁଟବଲ୍ ପଡ଼ିଆ, ଟେନିସ୍ କୋର୍ଟ, ବାସ୍କେଟବଲ୍ କୋର୍ଟ, ଇନଡୋର୍ ବ୍ୟାଡମିଣ୍ଟନ କୋର୍ଟ ଏବଂ ପ୍ରଫେସନାଲ୍ କ୍ରିକେଟ୍ ପ୍ରାକ୍ଟିସ୍ ନେଟ୍ ଭଳି ସମ୍ପୂର୍ଣ୍ଣ ଆଧୁନିକ କ୍ରୀଡ଼ା ସୁବିଧା ସୁଯୋଗ ରହିଛି।



