ବୌଦ୍ଧ ଜିଲ୍ଲାରେ ଶିଶୁ ଶ୍ରମ ବିରୋଧରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବ୍ୟାପକ ମିଳିତ ଚଢ଼ାଉ ଅଭିଯାନ ସଫଳତାର ସହ କରାଯାଇଛି। ଶିଶୁଙ୍କ ଅଧିକାରର ସୁରକ୍ଷା, ଶିଶୁ ଶ୍ରମ ନିରାକରଣ ଏବଂ ସମାଜରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆୟୋଜିତ ଏହି ଅଭିଯାନରେ ବୌଦ୍ଧ ଜିଲ୍ଲା ଶ୍ରମ ବିଭାଗ, ପୋଲିସ ବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଚାଇଲ୍ଡ ହେଲ୍ପ ଲାଇନ୍, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଲୋକ କଳା ବିକାଶ କେନ୍ଦ୍ର, ବିଶ୍ୱ ଯୁବ କେନ୍ଦ୍ର ଏବଂ ୱାଇସିଡିଏ(YCDA)ର ପ୍ରତିନିଧିମାନେ ସାମିଲ ହୋଇଥିଲେ। ସମସ୍ତ ବିଭାଗର ମିଳିତ ପ୍ରୟାସରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶିଶୁ ଶ୍ରମିକ ଚିହ୍ନଟ କରିବା ସହ ସେମାନଙ୍କୁ ଉଦ୍ଧାର କରାଯାଇଥିଲା।
ଏହି ଅଭିଯାନ ବୌଦ୍ଧ ବ୍ଲକ, କଣ୍ଟାମାଳ ବ୍ଲକ, ହରଭଙ୍ଗା ବ୍ଲକ ଏବଂ ବୌଦ୍ଧ ମ୍ୟୁନିସିପାଲିଟି ଅଞ୍ଚଳର ବିଭିନ୍ନ ହୋଟେଲ, ଜଳଖିଆ ଦୋକାନ, ଚା’ ଷ୍ଟଲ, ରେଷ୍ଟୁରାଣ୍ଟ, ଗ୍ୟାରେଜ ଓ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନରେ କରାଯାଇଥିଲା। ଚଢ଼ାଉ ସମୟରେ ବହୁ ସ୍ଥାନରେ ଯାଞ୍ଚ କରାଯାଇଥିବା ବେଳେ ମୋଟ ୯ ଜଣ ଶିଶୁଙ୍କୁ ଶ୍ରମିକ ଭାବେ କାମ କରୁଥିବା ଅବସ୍ଥାରେ ଚିହ୍ନଟ କରାଯାଇଥିଲା। ସମ୍ପୃକ୍ତ ଟିମ୍ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ସୁରକ୍ଷା ହେଫାଜତକୁ ନେଇଥିଲା। ଅଭିଯାନ ସମୟରେ ଶିଶୁମାନଙ୍କୁ କାମରେ ଲଗାଇଥିବା ନିଯୁକ୍ତିଦାତାଙ୍କୁ ଶିଶୁ ଶ୍ରମ ନିଷେଧ ଆଇନ ସମ୍ପର୍କରେ ଅବଗତ କରାଯାଇଥିଲା ଏବଂ ଭବିଷ୍ୟତରେ ଏପରି କାର୍ଯ୍ୟରୁ ବିରତ ରହିବାକୁ କଡ଼ା ଚେତାବନୀ ଦିଆଯାଇଥିଲା।

ଉଦ୍ଧାର ହୋଇଥିବା ସମସ୍ତ ଶିଶୁଙ୍କୁ ପ୍ରଥମେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ମେଡିକାଲକୁ ନିଆଯାଇଥିଲା। ସେଠାରେ ସେମାନଙ୍କର ସାଧାରଣ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇବା ସହ ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା। ପରେ ଆଇନଗତ ପ୍ରକ୍ରିୟା ଅନୁସରଣ କରି ସମସ୍ତ ଶିଶୁଙ୍କୁ ଶିଶୁ ମଙ୍ଗଳ କମିଟି (ସିଡବ୍ଲୁସି) ନିକଟରେ ଉପସ୍ଥାପନ କରାଯାଇଥିଲା। ଶିଶୁ ମଙ୍ଗଳ କମିଟି ସେମାନଙ୍କର ପରିବାରିକ ପୃଷ୍ଠଭୂମି, ସାମାଜିକ ପରିସ୍ଥିତି ଏବଂ ପୁନର୍ବାସ ବ୍ୟବସ୍ଥା ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ସୂଚନା ମିଳିଛି।

ଅଭିଯାନ ସହିତ ସଚେତନତା କାର୍ଯ୍ୟକ୍ରମକୁ ମଧ୍ୟ ସମାନ ଗୁରୁତ୍ୱ ଦିଆଯାଇଥିଲା। ହୋଟେଲ ମାଲିକ, ଦୋକାନୀ, ବ୍ୟବସାୟୀ ଏବଂ ସାଧାରଣ ଲୋକଙ୍କୁ ଶିଶୁ ଶ୍ରମର କୁପ୍ରଭାବ, ଶିଶୁଙ୍କ ଶିକ୍ଷାର ଅଧିକାର ଏବଂ ପ୍ରଚଳିତ ଆଇନ ସମ୍ପର୍କରେ ସଚେତନ କରାଯାଇଥିଲା। ଶିଶୁମାନଙ୍କୁ ଶ୍ରମରେ ନିୟୋଜିତ କରିବା ପରିବର୍ତ୍ତେ ସେମାନଙ୍କୁ ବିଦ୍ୟାଳୟକୁ ପଠାଇବା, ସୁରକ୍ଷିତ ପରିବେଶରେ ବଢ଼ିବାର ସୁଯୋଗ ଦେବା ଏବଂ ସେମାନଙ୍କ ଭବିଷ୍ୟତ ଗଠନରେ ସମାଜର ସହଯୋଗ ଆବଶ୍ୟକ ବୋଲି ବୁଝାଇ ଦିଆଯାଇଥିଲା। ଏହା ସହିତ ଶିଶୁ ଶ୍ରମ ଦେଖିଲେ କିମ୍ବା ଏ ସମ୍ପର୍କରେ ସୂଚନା ମିଳିଲେ ତୁରନ୍ତ ଚାଇଲ୍ଡ ହେଲ୍ପ ଲାଇନ୍ କିମ୍ବା ସମ୍ପୃକ୍ତ ସରକାରୀ ବିଭାଗକୁ ଜଣାଇବା ପାଇଁ ଅନୁରୋଧ କରାଯାଇଥିଲା।

ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଶିଶୁ ଶ୍ରମ ଏକ ସାମାଜିକ ବ୍ୟାଧି ଏବଂ ଆଇନ ଅନୁଯାୟୀ ଏହା ଏକ ଦଣ୍ଡନୀୟ ଅପରାଧ। ତେଣୁ ଜିଲ୍ଲାର କୌଣସି ସ୍ଥାନରେ ଶିଶୁଙ୍କୁ କାମରେ ନିୟୋଜିତ କରାଯାଉଥିବା ସୂଚନା ମିଳିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଗାମୀ ଦିନରେ ମଧ୍ୟ ଏଭଳି ମିଳିତ ଚଢ଼ାଉ, ନିୟମିତ ଯାଞ୍ଚ ଏବଂ ସଚେତନତା କାର୍ଯ୍ୟକ୍ରମ ଜାରି ରହିବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି। ଶିଶୁଙ୍କ ସୁରକ୍ଷା, ଶିକ୍ଷା ଓ ସର୍ବାଙ୍ଗୀଣ ବିକାଶ ପାଇଁ ସରକାରୀ ବିଭାଗ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ସାଧାରଣ ଲୋକଙ୍କ ସାମୂହିକ ସହଯୋଗ ହିଁ ଏହି ସମସ୍ୟାର ସ୍ଥାୟୀ ସମାଧାନ ବୋଲି ଅଭିଯାନରେ ସାମିଲ ଅଧିକାରୀମାନେ ମତ ପ୍ରକାଶ କରିଛନ୍ତି।



