Thursday, April 2, 2026
spot_img
Homeରାଜ୍ୟ ଖବରମଶରୁମ୍ କନକ୍ଲେଭ୍ ୨୦୨୬: ଛତୁକୁ ସୁପର ଫୁଡ୍ କହିଲେ ଉପ-ମୁଖ୍ୟମନ୍ତ୍ରୀ

ମଶରୁମ୍ କନକ୍ଲେଭ୍ ୨୦୨୬: ଛତୁକୁ ସୁପର ଫୁଡ୍ କହିଲେ ଉପ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୫ ମାର୍ଚ୍ଚ: ଓଡ଼ିଶାର କୃଷି କ୍ଷେତ୍ରରେ ଛତୁ ଚାଷ ଏକ ନୂତନ ବିପ୍ଳବ ସୃଷ୍ଟି କରିଛି। ଆଜି ରାଜଧାନୀ ଭୁବନେଶ୍ୱରସ୍ଥିତ ‘ଦି କ୍ରାଉନ୍’ ହୋଟେଲଠାରେ ଓଡ଼ିଶା କୃଷି ପ୍ରୋତ୍ସାହନ ଏବଂ ପୁଞ୍ଜିଲଗାଣ ନିଗମ (ଆପିକଲ୍) ପକ୍ଷରୁ ‘ମଶରୁମ୍ କନକ୍ଲେଭ୍ ୨୦୨୬’ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ରାଜ୍ୟର ଛତୁ ଚାଷକୁ ଏକ ସ୍ଥାୟୀ ଜୀବିକା ଭାବେ ଗଢ଼ିତୋଳିବା ଏବଂ ଚାଷୀମାନଙ୍କୁ ଆଧୁନିକ ଜ୍ଞାନକୌଶଳରେ ସଶକ୍ତ କରିବା ପାଇଁ ବ୍ୟାପକ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି।

ଏହି ଅବସରରେ ପ୍ରକାଶ ପାଇଛି ଯେ, ସମଗ୍ର ଭାରତରେ ଉତ୍ପାଦିତ ହେଉଥିବା ମୋଟ ଛତୁର ୧୧ ପ୍ରତିଶତ କେବଳ ଓଡ଼ିଶାରୁ ଆସୁଛି। ଚଳିତ ବର୍ଷ ରାଜ୍ୟରେ ରେକର୍ଡ ସଂଖ୍ୟକ ୬୩ ହଜାର ମେଟ୍ରିକ୍ ଟନ୍ ଛତୁ ଉତ୍ପାଦିତ ହୋଇଛି, ଯାହା ଓଡ଼ିଶାକୁ ଦେଶର ଏକ ଅଗ୍ରଣୀ ରାଜ୍ୟ ଭାବେ ଉଭା କରିଛି। କାର୍ଯ୍ୟକ୍ରମକୁ ଉଦଘାଟନ କରି ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଛତୁକୁ ଏକ ‘ସୁପର ଫୁଡ୍’ ଭାବେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ, ଛତୁ କେବଳ ପୁଷ୍ଟିକର ଓ ସ୍ୱାସ୍ଥ୍ୟପ୍ରଦ ନୁହେଁ, ବରଂ ଏହାର ଚାଷ ପରିବେଶ ଓ ଜଳବାୟୁ ଅନୁକୂଳ ଅଟେ। ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’ ମାଧ୍ୟମରେ ଚାଷୀଙ୍କୁ ବ୍ୟାପକ ସବସିଡି ଓ ବଜାର ସଂଯୋଗୀକରଣ ପାଇଁ ଲଜିଷ୍ଟିକ୍ ସହାୟତା ପ୍ରଦାନ କରୁଛନ୍ତି। ଏହି ଅବସରରେ ଉପ-ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ଆପିକଲ୍’ର ଏକ ନୂତନ ୱେବସାଇଟ୍ ଉନ୍ମୋଚନ କରାଯିବା ସହ ଉଦ୍ୟୋଗୀମାନଙ୍କୁ କାର୍ଯ୍ୟ ଅଗ୍ରଗତି ପତ୍ର ବଣ୍ଟନ କରାଯାଇଥିଲା।

ସମ୍ମିଳନୀର ବିଭିନ୍ନ ବୈଷୟିକ ଅଧିବେଶନରେ ୯ ଜଣ ବିଶେଷଜ୍ଞ ବକ୍ତା ଛତୁର ଉନ୍ନତ ଉତ୍ପାଦନ, ଅମଳ ପରବର୍ତ୍ତୀ ପରିଚାଳନା, ପ୍ୟାକେଜିଂ ଏବଂ ମୂଲ୍ୟ ବୃଦ୍ଧି ଉପରେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିଲେ। କୃଷି ବିଭାଗର ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଜାଧବ କହିଥିଲେ ଯେ, ଛତୁ ଚାଷ ଏକ ସ୍ୱଳ୍ପ ଅବଧିର ଲାଭଜନକ ଚାଷ ଏବଂ ଏଥିରେ ଅନ୍ୟ ଫସଲ ତୁଳନାରେ ଅତି କମ୍ ପାଣି ବ୍ୟବହାର ହୋଇଥାଏ। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୨୦୭ ଜଣ ଚାଷୀ ବିଭିନ୍ନ ଛତୁ-ଭିତ୍ତିକ ଉଦ୍ୟୋଗ ସ୍ଥାପନ ପାଇଁ ଅନୁମୋଦନ ପାଇଥିବା ବେଳେ ୨୦୭ ଜଣ ଉଦ୍ୟୋଗୀ ସରକାରଙ୍କ ଠାରୁ ସବସିଡି ପାଇସାରିଛନ୍ତି।

ଏହି ସମ୍ମିଳନୀରେ ସାରା ଓଡ଼ିଶାରୁ ୧୭୦ରୁ ଅଧିକ ଛତୁ ଉଦ୍ୟୋଗୀ ଏବଂ ଛତୁ ଫେଡେରେସନର ସଦସ୍ୟମାନେ ଯୋଗଦେଇଥିଲେ। ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକ ଶ୍ରୀ ସୁବ୍ରତ କୁମାର ପଣ୍ଡା, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ କାଲୁଙ୍ଗେ ଗୋରଖ ୱାମନ ଏବଂ OUAT ର କୁଳପତି ଡକ୍ଟର ପ୍ରଭାତ କୁମାର ରାଉଳ ପ୍ରମୁଖ ଗ୍ରାମୀଣ ଜୀବିକା ସୁଦୃଢ଼ କରିବାରେ ଛତୁ ଚାଷର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ପାଳ, ଧିଙ୍ଗିରି ଓ ବଟନ୍ ଛତୁର ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରିବା ପାଇଁ ଚାଷୀଙ୍କ ମଧ୍ୟରେ ବ୍ୟାପକ ଆଗ୍ରହ ପରିଲକ୍ଷିତ ହୋଇଥିଲା। ଏହି ସମ୍ମିଳନୀ ଆଗାମୀ ଦିନରେ ଓଡ଼ିଶାର ଛତୁ ଚାଷୀଙ୍କୁ ଏକ ବିଶ୍ୱସ୍ତରୀୟ ପରିଚୟ ପ୍ରଦାନ କରିବ ବୋଲି ଆଶା କରାଯାଉଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments