Thursday, April 2, 2026
spot_img
HomeUncategorizedଲୋକାୟୁକ୍ତ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଓ ଆଇଗିଣିଆରେ ଆମୋନିଆ ଗ୍ୟାସ୍ ଲିକ୍, ଅଳ୍ପକେ ବର୍ତ୍ତିଲେ ଲୋକେ

ଲୋକାୟୁକ୍ତ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଓ ଆଇଗିଣିଆରେ ଆମୋନିଆ ଗ୍ୟାସ୍ ଲିକ୍, ଅଳ୍ପକେ ବର୍ତ୍ତିଲେ ଲୋକେ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଗୁରୁବାର ଦୁଇଟି ପୃଥକ ଅଘଟଣ ସହରବାସୀଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି। ପ୍ରଥମ ଘଟଣାରେ ତୋଷାଳି ଭବନ ସ୍ଥିତ ଓଡ଼ିଶା ଲୋକାୟୁକ୍ତ କାର୍ଯ୍ୟାଳୟର ରେକର୍ଡ ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟି ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜଳିଯାଇଥିବା ବେଳେ, ଦ୍ୱିତୀୟ ଘଟଣାରେ ଆଇଗିଣିଆ ଅଞ୍ଚଳରେ ଏକ ଶୀତଳ ଭଣ୍ଡାରରୁ ଆମୋନିଆ ଗ୍ୟାସ୍ ନିର୍ଗତ ହେବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଗୁରୁବାର ସକାଳ ପ୍ରାୟ ୧୦ଟା ସମୟରେ ତୋଷାଳି ଭବନର ଗ୍ରାଉଣ୍ଡ ଫ୍ଲୋରରେ ଥିବା ଲୋକାୟୁକ୍ତ କାର୍ଯ୍ୟାଳୟର ରେକର୍ଡ ରୁମ୍‌ରେ ହଠାତ୍ ନିଆଁ ଲାଗିଯାଇଥିଲା। ସର୍ଟ ସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଖବର ପାଇ ଅଗ୍ନିଶମ ବାହିନୀର ପ୍ରାୟ ୧୦ ଜଣ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ୨୦ ମିନିଟର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିଲେ ମଧ୍ୟ ଏକ ଇଲେକ୍ଟ୍ରିକାଲ୍ ସୁଇଚ୍ ବୋର୍ଡ ନିକଟରେ ଥିବା ଫାଇଲ୍ ର‍୍ୟାକ୍‌ ପୋଡ଼ି ଯାଇଛି, ଯେଉଁଥିରେ ଅନେକ ଜରୁରୀ ଫାଇଲ୍ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି।

ଅନ୍ୟପଟେ, ବୁଧବାର ବିଳମ୍ବିତ ରାତିରେ ଆଇଗିଣିଆ ଅଞ୍ଚଳରେ ଥିବା ଏକ ଆଳୁ ଶୀତଳ ଭଣ୍ଡାରରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇଥିଲା। ରାତି ପ୍ରାୟ ୧ଟା ସମୟରେ ଗ୍ୟାସ୍ ନିର୍ଗତ ହେଉଥିବା ଜଣାପଡ଼ିବା ପରେ ସେଠାରେ ଥିବା କର୍ମଚାରୀ ଓ ନିକଟସ୍ଥ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା। ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ସ୍ଥାନୀୟ ଲୋକଙ୍କୁ ତୁରନ୍ତ ସେହି ସ୍ଥାନରୁ ସ୍ଥାନାନ୍ତର କରାଯାଇଥିଲା।

ଅଗ୍ନିଶମ ବାହିନୀର କର୍ମଚାରୀମାନେ ଅକ୍ସିଜେନ ମାସ୍କ ବା ବ୍ରିଦିଂ ଆପାରାଟସ ସେଟ୍ ପିନ୍ଧି ଶୀତଳ ଭଣ୍ଡାର ଭିତରକୁ ପ୍ରବେଶ କରିଥିଲେ ଏବଂ ଗ୍ୟାସ୍ ନିର୍ଗତ ହେଉଥିବା ଭାଲ୍‌ଭକୁ ଚିହ୍ନଟ କରି ବନ୍ଦ କରିଥିଲେ। ପାଣି ସ୍ପ୍ରେ କରାଯାଇ ଗ୍ୟାସର ପ୍ରଭାବକୁ କମାଯାଇଥିଲା। ପ୍ରାୟ ୪ ଘଣ୍ଟାର କଠିନ ପରିଶ୍ରମ ପରେ ଭୋର ୪ଟା ବେଳକୁ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିଥିଲା। ଏହି ଘଟଣାରେ ଅଗ୍ନିଶମ ବାହିନୀର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଏକ ବଡ଼ ବିପତ୍ତି ଟଳି ଯାଇଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments