ଭୁବନେଶ୍ୱର, ୭ ।୮: କିଟ୍ ସ୍କୁଲ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜି, କିଟ୍ ଷ୍ଟୁଡେଣ୍ଟ ଆକ୍ଟିଭିଟି ସେଣ୍ଟର ଏବଂ କିସ୍ ର ସହଯୋଗରେ କିଟ୍ କ୍ୟାମ୍ପସରେ ୧୨ତମ ଜାତୀୟ ହସ୍ତତନ୍ତ ଦିବସ ଆଡମ୍ବରପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡ଼ିଶା ରାଜ୍ୟ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ରାଜ୍ୟମନ୍ତ୍ରୀ (ସ୍ୱତନ୍ତ୍ର ପ୍ରଭାର) ପ୍ରଦୀପ ବଳ ସାମନ୍ତ ବୁଣାକାରମାନଙ୍କୁ ଆମ ସଂସ୍କୃତିର ମୁଖ୍ୟ ବାର୍ତ୍ତାବହ, ଉତ୍କୃଷ୍ଟ କଳାର ସାଧକ ଏବଂ ହସ୍ତତନ୍ତ କ୍ଷେତ୍ରର ପ୍ରକୃତ ଆତ୍ମା ଭାବେ ବର୍ଣ୍ଣନା କରିଥିଲେ। ରାଜ୍ୟ ସରକାର ସେମାନଙ୍କ ସାମାଜିକ ଓ ଆର୍ଥିକ କଲ୍ୟାଣ ପାଇଁ ସଦାସର୍ବଦା ପ୍ରତିବଦ୍ଧ ବୋଲି ପ୍ରକାଶ କରିବା ସହ ବୁଣାକାରଙ୍କ ଏହି ଅତୁଲନୀୟ ଯୋଗଦାନକୁ ସମ୍ମାନ ଜଣାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ହସ୍ତତନ୍ତ ଦିବସ ଆରମ୍ଭ କରିଥିଲେ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ‘ଭୋକାଲ୍ ଫର ଲୋକାଲ୍’ ଆହ୍ୱାନକୁ ସାର୍ଥକ କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ସପ୍ତାହରେ ଅତିକମରେ ଗୋଟିଏ ଦିନ ହସ୍ତତନ୍ତ ବସ୍ତ୍ର ପରିଧାନ କରିବାକୁ ସେ ଅନୁରୋଧ କରିଥିଲେ। ଏଥିସହିତ ଓଡ଼ିଶାର ହସ୍ତତନ୍ତ ଶିଳ୍ପକୁ ବିଶ୍ୱସ୍ତରରେ ପରିଚିତ କରାଇବା ପାଇଁ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରଶଂସନୀୟ ଉଦ୍ୟମକୁ ମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ।

ଏହି ସମାରୋହରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଥିଲେ ଯେ ଭାରତର ସମୃଦ୍ଧ ହସ୍ତତନ୍ତ ପରମ୍ପରାରେ ଓଡ଼ିଶାର ଏକ ସ୍ୱତନ୍ତ୍ର ଏବଂ ଗୌରବମୟ ସ୍ଥାନ ରହିଛି। ୨୦୧୫ ମସିହାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଜାତୀୟ ହସ୍ତତନ୍ତ ଦିବସର ଶୁଭାରମ୍ଭ ପରଠାରୁ ଭାରତୀୟ ହସ୍ତତନ୍ତ ସାମଗ୍ରୀ ଆଜି ସାରା ବିଶ୍ୱରେ ବିଶେଷ ଆଦୃତି ଭାବେ ଲୋକପ୍ରିୟତା ପାଇପାରିଛି। ଓଡ଼ିଶାର ବୁଣାକାରଙ୍କୁ ଆର୍ଥିକ ସହାୟତା ଦେବା, ସେମାନଙ୍କ ଜୀବିକାକୁ ସୁଦୃଢ଼ କରିବା ଏବଂ ବଜାର ସୁଯୋଗ ସୃଷ୍ଟି କରିବା ପାଇଁ କିଟ୍ ଓ କିସ୍ ପରିଦର୍ଶନରେ ଆସୁଥିବା ବରିଷ୍ଠ ଅତିଥିମାନଙ୍କୁ ପ୍ରତିବର୍ଷ ପ୍ରାୟ ୧୫ ହଜାରରୁ ଊର୍ଦ୍ଧ୍ଵ ହସ୍ତତନ୍ତ ଶାଢି ଉପହାର ଦିଆଯାଉଛି ବୋଲି ସେ ପ୍ରକାଶ କରିଥିଲେ।

ଏହି ଆୟୋଜନ ଅବସରରେ ହସ୍ତତନ୍ତ ବସ୍ତ୍ରର ଆଦୃତି ଓ ପ୍ରସାର ପାଇଁ କିଟ୍ ସ୍କୁଲ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜି ଏବଂ କିଟ୍ ଷ୍ଟୁଡେଣ୍ଟ ଆକ୍ଟିଭିଟି ସେଣ୍ଟରର ମିଳିତ ଉଦ୍ୟମରେ ‘କାଞ୍ଚି–୨୦୨୬’ ଆୟୋଜିତ ହୋଇଥିଲା। ଏଥିରେ ବିଶିଷ୍ଟ ଅଭିନେତ୍ରୀ ଦେବଯାନୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମସ୍ତଙ୍କୁ ହସ୍ତତନ୍ତ ବସ୍ତ୍ର ବ୍ୟବହାର କରିବାକୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମରେ କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ ସ୍ୱାଗତ ଭାଷଣ ଦେଇଥିବା ବେଳେ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।



