ଭୁବନେଶ୍ୱର, ଅଗଷ୍ଟ ୭: କେନ୍ଦ୍ର ସରକାରଙ୍କ ପ୍ରୟୋଜିତ ‘ନିଶା ମୁକ୍ତ ଭାରତ’ ଅଭିଯାନ ଅଧୀନରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସହଯୋଗରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଅଧୀନସ୍ଥ ଯୁକ୍ତ ଦୁଇ ମହାବିଦ୍ୟାଳୟ ପରିସରରେ ଗତ ଅଗଷ୍ଟ ୬ ତାରିଖରେ ଏକ ବିଶେଷ ସଚେତନତା କର୍ମଶାଳା ଆୟୋଜିତ ହୋଇଯାଇଛି। କଲେଜ ଅଧ୍ୟକ୍ଷା ଆଶାବରୀ ମହାନ୍ତିଙ୍କ ସଭାପତିତ୍ୱରେ ଶେଷ ହୋଇଥିବା ଏହି କାର୍ଯ୍ୟକ୍ରମରେ ବ୍ରହ୍ମାକୁମାରୀ କଳିଙ୍ଗ ନଗର ଶାଖା ମୁଖ୍ୟ ବି. କେ. ସବିତା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ନିଶାର କୁପରିଣାମ ଏବଂ ସୁସ୍ଥ ଜୀବନଶୈଳୀ ନିର୍ବାହ କରିବାର ଉପାୟ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଦିଗଦର୍ଶନ ଦେଇଥିଲେ। ଏଥିସହିତ ଏକ ନିଶାମୁକ୍ତ ସମାଜ ଗଠନ ନିମନ୍ତେ ସେ ସମସ୍ତ ବିଦ୍ୟାର୍ଥୀଙ୍କୁ ନିଶା ମୁକ୍ତ ଭାରତ ଶପଥ ଗ୍ରହଣ କରାଇଥିଲେ।
ଏହି କର୍ମଶାଳାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ଆସନ୍ତା ଅଗଷ୍ଟ ୬ ରୁ ୨୦ ତାରିଖ ପର୍ଯ୍ୟନ୍ତ ବ୍ରହ୍ମାକୁମାରୀ ପକ୍ଷରୁ ସମଗ୍ର ଦେଶରେ ୧୦ କୋଟି ନିଶା ମୁକ୍ତ ପ୍ରତିଜ୍ଞା ମହା ଅଭିଯାନ ସମ୍ପୂର୍ଣ୍ଣ ମାଗଣାରେ କାର୍ଯ୍ୟକାରୀ କରାଯିବ ବୋଲି ଶାଖା ମୁଖ୍ୟ ସୂଚନା ଦେଇଛନ୍ତି।



