ଭୁବନେଶ୍ୱର, ଜୁଲାଇ ୨୭: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ସମ୍ ନର୍ସିଂ କଲେଜରେ ‘ସିଷ୍ଟମାଟିକ୍ ରିଭ୍ୟୁ ଓ ମେଟା-ଆନାଲିସିସ୍’ ଶୀର୍ଷକ ଏକ ଦିନିକିଆ ଫାକଲ୍ଟି ଡେଭଲପ୍ମେଣ୍ଟ ପ୍ରୋଗ୍ରାମ୍ (ଏଫ୍ଡିପି) ଅନୁଷ୍ଠିତ ହୋଇଯାଇଛି। ଅଧ୍ୟାପନା ଓ ଗବେଷଣାର ଗୁଣାତ୍ମକ ମାନ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୋଟ ୭୦ ଜଣ ଫାକଲ୍ଟି ସଦସ୍ୟ ଯୋଗଦେଇ ପ୍ରଶିକ୍ଷଣ ଗ୍ରହଣ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଆଧୁନିକ ଚିକିତ୍ସା ଓ ଶିକ୍ଷା କ୍ଷେତ୍ରରେ ‘ଏଭିଡେନ୍ସ-ବେସଡ୍’ ବା ପ୍ରମାଣ-ଆଧାରିତ ଗବେଷଣାର ଗୁରୁତ୍ୱ ଆଲୋଚନା କରିଥିଲେ। ସେ ବୈଜ୍ଞାନିକ ସତ୍ୟତା ଓ ନିର୍ଭୁଲ ପ୍ରମାଣ ହାସଲ ପାଇଁ ସିଷ୍ଟମାଟିକ୍ ରିଭ୍ୟୁ ଏବଂ ମେଟା-ଆନାଲିସିସ୍ ଶୈଳୀକୁ ନିୟମିତ ଗବେଷଣାରେ ପ୍ରୟୋଗ କରିବାକୁ ଅଧ୍ୟାପକମାନଙ୍କୁ ଆହ୍ୱାନ ଦେଇଥିଲେ।
ଦିନସାରା ଚାଲିଥିବା ଏହି କାର୍ଯ୍ୟକ୍ରମରେ ଦୁଇଟି ମୁଖ୍ୟ ବୈଜ୍ଞାନିକ ଅଧିବେଶନ ରହିଥିଲା। ପ୍ରଥମ ଅଧିବେଶନରେ ଏମ୍ସ ଭୁବନେଶ୍ୱରର ଶିଶୁରୋଗ ବିଭାଗର ଡକ୍ଟର କେତନ କୁମାର ଯୋଗଦେଇ ସିଷ୍ଟମାଟିକ୍ ରିଭ୍ୟୁର ମୌଳିକ ପ୍ରକ୍ରିୟା, ପିଆଇସିଓ ଫ୍ରେମ୍ୱାର୍କ, ଗବେଷଣା ପ୍ରଶ୍ନ ପ୍ରସ୍ତୁତି, ପ୍ରୋଟୋକଲ୍ ସଂରଚନା ଏବଂ ପ୍ରିଜମା ନିର୍ଦ୍ଦେଶାବଳୀ ଅନୁସାରେ ଲିଟରେଚର୍ ସନ୍ଧାନ ସମ୍ପର୍କରେ ସୂଚନା ଦେଇଥିଲେ।
ଦ୍ୱିତୀୟ ଅଧିବେଶନରେ ଏମ୍ସ ଭୁବନେଶ୍ୱରର ପ୍ରଫେସର ଡାକ୍ତର ରଶ୍ମି ରଞ୍ଜନ ଦାସ ମେଟା-ଆନାଲିସିସ୍ର ତଥ୍ୟ ବିଶ୍ଲେଷଣ, ରିପୋର୍ଟିଂ ମାପଦଣ୍ଡ, ଜର୍ନାଲ୍ ପ୍ରକାଶନ କୌଶଳ ଏବଂ ଗବେଷଣା ସମୟରେ ଉପୁଜୁଥିବା ପଦ୍ଧତିଗତ ଜଟିଳତାର ସମାଧାନ ଉପରେ ଦିଗଦର୍ଶନ ଦେଇଥିଲେ। ଶେଷରେ ଆୟୋଜିତ ମୁକ୍ତ ଆଲୋଚନାଚକ୍ରରେ ଅଂଶଗ୍ରହଣକାରୀମାନେ ପରିସଂଖ୍ୟାନ ଓ ଗବେଷଣା ସଫ୍ଟୱେୟାର ବ୍ୟବହାର ସମ୍ପର୍କିତ ବିଭିନ୍ନ ପ୍ରଶ୍ନର ସମାଧାନ ପାଇଥିଲେ।



