ମାଲକାନଗିରି, ୮ା୩ (ବିକଳ୍ପ): ଚଉଦଟି ଜିଲ୍ଲା ଅତିକ୍ରମ କରି ପ୍ରାକୃତିକ ସମ୍ପଦର ସୁରକ୍ଷା ନିମନ୍ତେ ଆରମ୍ଭ ହୋଇଥିବା ଲୋକ ଅଧିକାର ଯାତ୍ରା ଆଜି ମାଲକାନଗିରି ବସଷ୍ଟାଣ୍ଡରେ ପହଞ୍ଚିଥିଲା। ମାଲକାନଗିରି ଆଦିବାସୀ ସଂଘ, ସିଏସଡି ଓ ନାଗରିକ ସମାଜ ପକ୍ଷରୁ ଏହି ଯାତ୍ରାକୁ ସ୍ଵାଗତ କରାଯାଇଥିଲା। ତାର୍ଲାକୋଟା ଠାରେ ଆୟୋଜିତ ସାଧାରଣ ସଭାରେ ବିଶିଷ୍ଟ ପରିବେଶବିତ୍ ତଥା ଗ୍ରୀନ ନୋବେଲ ବିଜେତା ପ୍ରଫୁଲ୍ଲ ସାମନ୍ତରା କହିଲେ ଯେ, ମାଲକାନଗିରି ଜିଲ୍ଲାର ଜଙ୍ଗଲ ଓ ନଦୀକୁ ଶେଷ କରିଦେବା ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏଥିପାଇଁ ଆଦାନୀ ଓ ଡାଲମିଆ କମ୍ପାନୀମାନଙ୍କୁ ଆଣି ଓସ୍କାଲବାଗ ଓ କତାମେଟା ଜଙ୍ଗଲରେ ଚୂନପଥର ଖଣି ଖନନ ପାଇଁ ଲିଜ୍ ପ୍ରଦାନ କରାଯାଇଛି। ଏହାଦ୍ଵାରା ସାବେରୀ ନଦୀର ବ୍ୟାପକ କ୍ଷୟକ୍ଷତି ହେବା ସହ ଜିଲ୍ଲାର ହଜାର ହଜାର ଲୋକଙ୍କ ଜୀବିକା ଛଡ଼ାଇ ନେବ।

ସଭାର ସଞ୍ଚାଳକ ତଥା ଜନ ଆନ୍ଦୋଳନ ରାଷ୍ଟ୍ରୀୟ ସମନ୍ଵୟର ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି କହିଲେ ଯେ, ସ୍ଵାଧୀନତା ଆନ୍ଦୋଳନ କାଳରେ ଓଡ଼ିଶାରେ ଜନସଂଖ୍ୟାର ୨୫ ପ୍ରତିଶତ ଆଦିବାସୀ ଥିବା ବେଳେ ଏବେ ଏହା କ୍ରମଶଃ ହ୍ରାସ ପାଇ ୨୩ ପ୍ରତିଶତରେ ପହଞ୍ଚିଛି। ତେବେ ଆଦିବାସୀଙ୍କର ଅନେକ ବିକାଶ କରାଯାଇଛି ବୋଲି କହି କେବଳ ଆଦିବାସୀମାନଙ୍କୁ ପ୍ରତାରଣା କରିଛନ୍ତି। ଏହି ସଭାରେ ବିଶିଷ୍ଟ ଗାନ୍ଧୀବାଦୀ ସର୍ବୋଦୟ ନେତା ଡାକ୍ତର ବିଶ୍ଵଜିତ କହିଲେ ଯେ, ମାଲକାନଗିରି ଜିଲ୍ଲାର ଲକ୍ଷ୍ମଣ ନାୟକଙ୍କ ତ୍ୟାଗ ଓ ବଳିଦାନ ଏ ଜାତି କେବେ ବି ଭୁଲି ପାରିବ ନାହିଁ। ଆଜି ଯେଉଁ ଭଳି ଭାବରେ ଏସବୁ ଅଞ୍ଚଳକୁ କମ୍ପାନୀମାନଙ୍କ ହାତକୁ ଟେକି ଦେବାକୁ ଯୋଜନା ପ୍ରସ୍ତୁତି ଚାଲିଛି, ସେଥିପାଇଁ ଲୋକ ଅଧିକାର ଯାତ୍ରା ପକ୍ଷରୁ ଶହୀଦ ଲକ୍ଷ୍ମଣ ନାୟକଙ୍କ ବଳିଦାନ ଦିବସରେ ଭୁବନେଶ୍ଵର ଠାରେ ଆୟୋଜିତ ଲୋକ ଅଧିକାର ସମାବେଶରେ ବହୁ ସଂଖ୍ୟାରେ ଯୋଗ ଦେବାକୁ ସେ ଆହ୍ଵାନ ଦେଇଥିଲେ।

ଏହି ଲୋକ ଅଧିକାର ଯାତ୍ରାରେ ବିଶିଷ୍ଟ ସମାଜବାଦୀ ନେତା କଲ୍ୟାଣ ଆନନ୍ଦ, ଚାଷୀ ମୂଲିଆ ଆଦିବାସୀ ସଂଘର ନେତା ନାଚିକା ଲିଙ୍ଗା, ଗାନ୍ଧୀବାଦୀ ବିଜୟ ସିଙ୍କୁ, ସମଦୃଷ୍ଟି ମିଡ଼ିଆ ପ୍ରତିନିଧି ସୁକାନ୍ତ ପ୍ରଧାନ, ଯୁବ ନେତା ଲକ୍ଷ୍ମଣ ନାୟକ, ଜୟ କିଷାନ ଆନ୍ଦୋଳନର ନେତା କିଶୋର ସାହୁ, ସୁରେନ୍ଦ୍ର ଭୂୟେ, ବିରଞ୍ଚି ମହାକୁଡ଼, ସମାଜବାଦୀ ଜନ ପରିଷଦର ନେତା ରାଜକିଶୋର, ସୁରେଶ ସଂଗ୍ରାମ, ଉପେନ୍ଦ୍ର ଦ୍ରାବିଡ଼ ପ୍ରମୁଖ ସାମିଲ ହୋଇଛନ୍ତି। ଏହି ଯାତ୍ରାରେ ମାଲକାନଗିରି ଜିଲ୍ଲାର ବିଦେଶୀ ଗୌଡ଼, କାର୍ତ୍ତିକ ଖେମୁଡୁ, ସୋମନାଥ ବାରସେ, ସମ୍ବାରୁ ଦୁରୁଆ, ଇନ୍ଦ୍ର ଦୁରୁଆ, ଭୀଷ୍ମ ପାଙ୍ଗି, ସୋନୁ ଅନୁଗୁଙ୍କ ସହ ଅନେକ ବୁଦ୍ଧିଜୀବୀ ସାମିଲ ହୋଇଥିଲେ।




