Monday, February 16, 2026
spot_img
Homeଆଂଚଳିକ ଖବରଅଙ୍କୁରାୟନ ୨୦୨୫ ଉଦଯାପିତ – ଭାଗନେଲେ ଚାରିହଜାରରୁ ଅଧିକ ଛାତ୍ରଛାତ୍ରୀ

ଅଙ୍କୁରାୟନ ୨୦୨୫ ଉଦଯାପିତ – ଭାଗନେଲେ ଚାରିହଜାରରୁ ଅଧିକ ଛାତ୍ରଛାତ୍ରୀ

ଲଙ୍କାପଡା, ଜଗତସିଂହପୁର : ଗତ ୧୯ ଡିସେମ୍ବର ରେ ତ୍ରିଦିବସୀୟ ଶିଶୁ ତଥା ଯୁବ ଉତ୍ସବ ଅଙ୍କୁରାୟନ ଉଦଯାପିତ ହୋଇଯାଇଛି। ଏଥିରେ ଓଡିଶାର ଆଠଟି ଜିଲ୍ଲାରୁ ସାଢେ ଚାରି ହଜାରରୁ ଅଧିକ ଛାତ୍ରଛାତ୍ରୀ, ଅଭିଭାବକ ଓ ଯୁବ ସ୍ୱେଛାସେବୀ ମାନଙ୍କର ସମାଗମ ହୋଇଥିଲା। ଜଗତସିଂହପୁର ଜିଲ୍ଲାର ଲଙ୍କାପଡା ଓ ନୟାଗଡ଼ ଜିଲ୍ଲାର ଶରଣକୁଳ ଠାରେ ଏକା ସମୟରେ ଆୟୋଜିତ ହୋଇଥିବା ଏହି ବିଦ୍ୟାର୍ଥୀ ବିକାଶ ତଥା ବିନୋଦନ ଉତ୍ସବ ରେ ଅନେକ ନିଆରା କଥା ଦେଖିବାକୁ ମିଳିଥିଲା।

ଏଥରର ମୁଖ୍ଯ ବିଷୟ ସତ୍ଯ-ସାହସ-କରୁଣା-ଶାନ୍ତି, ମୋ ଦେଶପ୍ରେମର ଅଭିବ୍ୟକ୍ତି ରହିଥିବା ବେଳେ, ବିଶିଷ୍ଟ ବାଲୁକା ଶିଳ୍ପୀ ବଲ୍ଲଭ ମହାପାତ୍ରଙ୍କ ‘ବାଲୁକା ଜଗନ୍ନାଥ’,  ଚିତ୍ରଶିଳ୍ପୀ ଓ ସିନେ କଳାକାର ଚିନ୍ତାମଣି ବିଶ୍ବାଳଙ୍କ ‘ଆଶୁ ଚିତ୍ରାଙ୍କନ- ଜଗନ୍ନାଥ’, ବନବାସୀ କଲ୍ୟାଣ ଆଶ୍ରମ ରସୁଲଗଡ଼ର ଛାତ୍ରଛାତ୍ରୀଙ୍କ ଦ୍ବାରା ‘ବଂଶୀବାଦନ ଓ ତୀରଚାଳନା’ ଓ ବିବେକ ଭାରତୀ ସେବାଶ୍ରମ ପିଲାମାନଙ୍କ ଦ୍ବାରା ‘ଘୁମୁରା ନାଚ’ ପରିବେଶକୁ ଓଡିଶାମୟ କରିଦେଇଥିଲା।

ଛଣ ଓ ଚାଙ୍ଗୁଡି ଦ୍ବାରା ନିର୍ମିତ ତୋରଣ ଓ ସଉପ ବ୍ୟବହାର କରି ତିଆରି କରାଯାଇଥିବା ମଞ୍ଚ ଆମର ପରିବେଶ ପ୍ରତିବଦ୍ଧତାର ପ୍ରତିଫଳନ ବୋଲି ଆୟୋଜକ ସଂଗଠନ ବନ୍ଧୁର ସମ୍ପାଦକ ସଂଜୟ କୁମାର ସ୍ବାଇଁ ପ୍ରକାଶ କରିଥିଲେ। ଏହା ପଲିଥିନ ମୁଣା ଓ ଷ୍ଟାଇରୋ ଫୋମ୍ ବିରୁଦ୍ଧରେ ଜାରିରହିଥିବା ଆମ ସଂଗ୍ରାମର ସର୍ଜନାତ୍ମକ ଦିଗ ବୋଲି ବନ୍ଧୁର ସଭାପତି ଗଣେଶ୍ଵର ବେହେରା ଜଣାଇଥିଲେ।

ସ୍ଥାନୀୟ ମାନବ ସମ୍ବଳ ବିକାଶ ମହାବିଦ୍ୟାଳୟର ଅଧ୍ୟାପିକା ଶ୍ରୀମତୀ ମମତା ଭୂୟାଁ ଓ ଓଡିଶା କନଷ୍ଟ୍ରକସନ କର୍ପୋରେସନ ଲିମିଟେଡର ସାଧାରଣ ପ୍ରବନ୍ଧକ ଶ୍ରୀଯୁକ୍ତ ଶରତ ଘଡେଇ ଙ୍କ ଦ୍ବାରା ଉଦ୍ଘାଟିତ ଏହି ଉତ୍ସବ ବିବେକ ଭାରତୀ ସେବାଶ୍ରମ, ବାଲେଶ୍ବର ର ସଂସ୍ଥାପକ ସ୍ବାମୀ ଗଣେଶାନନ୍ଦ ଓ ଜଗତସିଂହପୁର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟର ଡାକ୍ତର ଶିବ ଶଙ୍କର ଦାସଙ୍କ ଉପସ୍ଥିତିରେ ଉଦଯାପିତ ହୋଇଥିଲା।

ମୋଟ ୩୧ ଟି କାର୍ଯ୍ୟକ୍ରମ ରେ କେବଳ ଲଙ୍କାପଡାଠାରେ ୯୫୧ ଜଣ ଭାଗନେଇଥିବା ବେଳେ ଶରଣକୂଳ ଠାରେ ପାଖାପାଖି ସମାନ ସଂଖ୍ୟକ ପିଲା ଭାଗନେଇଥିଲେ। ସ୍ଥାନୀୟ ଲୋକ ଓ ଶୁଭେଛୁ ମାନଙ୍କ ସହଯୋଗରେ ଏହା ସୂଚାରୁରୂପେ ସମ୍ପାଦିତ ହୋଇଥିବାରୁ ଏଥରର ଆବାହକ ସତ୍ୟପ୍ରକାଶ ପରିଡା ଓ କୁମାର ବରାଡ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପଳାଶୁଣୀ ଉଚ୍ଚ ବିଦ୍ୟାଳୟ, ଭୁବନେଶ୍ବର ‘ବନ୍ଧୁ ଗୌରବ’ ଭାବେ ବିବେଚିତ ହୋଇଥିବା ବେଳେ, ପିଲାମାନଙ୍କ ଭିତରେ ସର୍ବୋତ୍ତମ ପ୍ରଦର୍ଶନ ପାଇଁ ବରିଷ୍ଠ ବିଭାଗରେ ପଳାଶୁଣୀ ଉଚ୍ଚ ବିଦ୍ୟାଳୟର ନରେଶ କୁଲିସିକା,  ଓ କନିଷ୍ଠ ବିଭାଗରେ ମା ସରସ୍ଵତୀ ଶିଶୁମନ୍ଦିର ମାହାଳହାଟର ସମୀକ୍ଷା ମହାନ୍ତି ଓ ଓଡିଶା ଆଦର୍ଶ ବିଦ୍ୟାଳୟ ପରକଣାର ସ୍ଵୟଂ ସମ୍ପୂର୍ଣ୍ଣା ମହାନ୍ତି ଯୁଗ୍ମ ଭାବେ, ଯଥାକ୍ରମେ ‘ବନ୍ଧୁ ପ୍ରତିଭା’ ଓ ‘ଅଙ୍କୁରାୟନ ପ୍ରତିଭା’ ଭାବେ ସମ୍ମାନୀତ ହୋଇଥିଲେ ।

ଦେଶ ଓ ସମାଜକୁ ଜାଣିବା, ସେ ପାଇଁ ଗୋଟିଏ ସମର୍ପିତ ଓ ସାର୍ଥକ ଜୀବନ ଜିଇବା ସହ ଆନନ୍ଦର ବିବିଧ ବିକଳ୍ପ ଗୁଡିକୁ ଶିଶୁ ମାନସରେ ସଂସ୍ଥାପିତ କରିବାର ମୂଳ ଉଦ୍ଦେଶ୍ଯ ନେଇ ବିଗତ କୋଡ଼ିଏ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଜନସାଧାରଣଙ୍କ ଭାଗିଦାରୀରେ ଆୟୋଜିତ ହୋଇଆସୁଥିବା ଅଙ୍କୁରାୟନ ଆମମାନଙ୍କ ପାଇଁ ଏକ ବିଶେଷ ଓ ବହୁ ପ୍ରତୀକ୍ଷିତ ଅନୁଭବ ବୋଲି ବନ୍ଧୁର ସମ୍ପାଦକ ସଞ୍ଜୟ କୁମାର ସ୍ବାଇଁ ପ୍ରକାଶ କରିଛନ୍ତି। ବନ୍ଧୁ ଦ୍ବାରା ଜାରି ରହିଥିବା ‘ଆନନ୍ଦକେନ୍ଦ୍ର’, ଗାଁର ସମ୍ବଳ ବ୍ୟବହାର କରି  ଗାଁ ର ଲୋକମାନଙ୍କ ଦ୍ବାରା ଗାଁ ଜୀବନକୁ ଆର୍ଥିକ ଭାବେ ସ୍ୱଛଳ ତଥା ସର୍ବୋତଭାବେ ସରସ ସୁନ୍ଦର କରିବା ପାଇଁ ସତତ ପ୍ରୟାସରତ ‘ ବନ୍ଧୁ ସମବାୟ’ ର ପ୍ରଦର୍ଶନୀ ସହ ଭୁବନେଶ୍ବର ସ୍ଥିତ ଭୋଜନାଳୟ ‘ଘାଣ୍ଟ’ ର ଷ୍ଟଲ ଏଥରର ଅନ୍ୟତମ ଆକର୍ଷଣ ଥିଲା।

ଭୁବନେଶ୍ବର, ବାଲେଶ୍ବର, ଯାଜପୁର,  ଏରସମାରୁ ଆସି ତିନିଦିନ ଧରି ଏକାଠି ରହି ଅଙ୍କୁରାୟନର ଆନନ୍ଦ ନେବାପରେ ନିଜ ନିଜ ସ୍ଥାନକୁ ଫେରିଲାବେଳେ କିଛି ପିଲାମାନେ ଭାବବିହ୍ୱଳ ହୋଇପଡିଥିଲେ। ପୁଣି ଆର ବର୍ଷକୁ ଦେଖା ହେବାର ଆଶା ନେଇ ସେମାନେ ପରସ୍ପରଠୁ ବିଦାୟ ନେଇଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments