ନୂଆଦିଲ୍ଲୀ, ଅକ୍ଟୋବର ୨୩, ୨୦୨୬: ଭାରତରେ ସାଇବର ଜାଲିଆତି, ଫିସିଂ ଏବଂ ‘ଡିଜିଟାଲ୍ ଆରେଷ୍ଟ୍’ ସ୍କାମ୍କୁ କଠୋର ହସ୍ତରେ ଦମନ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦୂରସଞ୍ଚାର ବିଭାଗ ପକ୍ଷରୁ ଏକ ବଡ଼ ନିୟମାବଳୀ ଜାରି କରାଯାଇଛି। କେନ୍ଦ୍ରୀୟ ଯୋଗାଯୋଗ ମନ୍ତ୍ରଣାଳୟ ଦ୍ୱାରା ଅଣାଯାଇଥିବା ନୂତନ ସିମ୍-ବାଇଣ୍ଡିଂ ନିୟମାବଳୀ ଅନୁଯାୟୀ, ଆସନ୍ତା ଜାନୁଆରୀ ୧, ୨୦୨୭ରୁ ହ୍ୱାଟ୍ସଆପ୍ ଏବଂ ଟେଲିଗ୍ରାମ୍ ଭଳି ସମସ୍ତ ଜନପ୍ରିୟ ମେସେଜିଂ ଆପ୍ ବ୍ୟବହାର କରିବା ପାଇଁ ବ୍ୟବହାରକାରୀଙ୍କ ଫୋନ୍ରେ ସକ୍ରିୟ ତଥା କେୱାଇସି-ସତ୍ୟାପିତ ସିମ୍ କାର୍ଡ କିମ୍ବା ଇ-ସିମ୍ ରହିବା ସମ୍ପୂର୍ଣ୍ଣ ବାଧ୍ୟତାମୂଳକ ହେବ। ଏହି ସୁରକ୍ଷା ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ପ୍ରଯୁକ୍ତିବିଦ୍ୟା ପ୍ଲାଟଫର୍ମଗୁଡ଼ିକୁ ଡିସେମ୍ବର ୩୧, ୨୦୨୬ ପର୍ଯ୍ୟନ୍ତ ନିର୍ଦ୍ଧାରିତ ସମୟସୀମା ପ୍ରଦାନ କରିଛନ୍ତି।
ସରକାରଙ୍କ ଏହି ନୂତନ ନିୟମାବଳୀ ଅନୁଯାୟୀ, ଯଦି କୌଣସି ଗ୍ରାହକ ସେମାନଙ୍କର ପଞ୍ଜୀକୃତ ସିମ୍ କାର୍ଡକୁ ମୋବାଇଲ୍ରୁ ବାହାର କରିଦିଅନ୍ତି, ଅନ୍ୟ ନମ୍ବର ବ୍ୟବହାର କରନ୍ତି, ନମ୍ବର ନିଷ୍କ୍ରିୟ ହୋଇଯାଏ କିମ୍ବା ସିମ୍ ପରିବର୍ତ୍ତନ କରନ୍ତି, ତେବେ ସମ୍ପୃକ୍ତ ଫୋନ୍ରେ ମେସେଜିଂ ଆପ୍ ଗୁଡ଼ିକ ଆପେ ଆପେ କାମ କରିବା ବନ୍ଦ କରିଦେବ। ପୂର୍ବରୁ ଗ୍ରାହକମାନେ ଗୋଟିଏ ସିମ୍ ସାହାଯ୍ୟରେ ଓଟିପି ଜରିଆରେ ଆକାଉଣ୍ଟ୍ ପଞ୍ଜୀକରଣ କରିବା ପରେ, ସେହି ସିମ୍ କାର୍ଡକୁ ବାହାର କରି କେବଳ ୱାଇ-ଫାଇ ନେଟୱାର୍କ ଜରିଆରେ କିମ୍ବା ଅନ୍ୟ କୌଣସି ସେକେଣ୍ଡାରୀ ଡିଭାଇସରେ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆକାଉଣ୍ଟ୍ ଚଲାଇ ପାରୁଥିଲେ। ଦେଶରେ ବୃଦ୍ଧି ପାଉଥିବା ସାଇବର ଅପରାଧୀମାନେ ଭାରତୀୟ ସିମ୍ କାର୍ଡ କିଣି ଆକାଉଣ୍ଟ୍ ସକ୍ରିୟ କରିବା ପରେ ସିମ୍ କାଢ଼ି ବିଦେଶରେ ବସି ନିରୀହ ଲୋକଙ୍କୁ ଠକୁଥିଲେ। ଏହି ଆଇନଗତ ଫାଙ୍କ ବନ୍ଦ କରିବା ପାଇଁ ସରକାର ସିମ୍-ବାଇଣ୍ଡିଂ ପ୍ରକ୍ରିୟାକୁ କଠୋର କରିଛନ୍ତି।
ନୂତନ ନିୟମ କାର୍ଯ୍ୟକାରୀ ହେବା ପରେ, ସମସ୍ତ ମେସେଜିଂ ଆପ୍ଗୁଡ଼ିକ ନିୟମିତ ଭାବରେ ଯାଞ୍ଚ କରିବେ ଯେ ଗ୍ରାହକଙ୍କ ସକ୍ରିୟ ସିମ୍ କାର୍ଡଟି ମୋବାଇଲ୍ରେ ଉପସ୍ଥିତ ଅଛି କି ନାହିଁ। ଯଦି ସିମ୍ ଫୋନ୍ରେ ନଥାଏ, ତେବେ ସେବା ସ୍ୱୟଂଚାଳିତ ଭାବେ ନିଲମ୍ବିତ ହୋଇଯିବ। ଏହାସହ ୱେବ୍ ବ୍ରାଉଜରରେ ବ୍ୟବହାର କରାଯାଉଥିବା ମେସେଜିଂ ସେବାଗୁଡ଼ିକ ବିପଦ ଆଶଙ୍କା ଆଧାରରେ ନିୟମିତ ଭାବେ ଲଗ୍ଆଉଟ୍ ହୋଇଯିବ ଏବଂ ଗ୍ରାହକଙ୍କୁ କ୍ୟୁଆର କୋଡ୍ ସ୍କାନ୍ କରି ପୁନର୍ବାର ଲଗ୍ଇନ୍ କରିବାକୁ ପଡ଼ିବ। ଏହି ବ୍ୟବସ୍ଥା ଦ୍ୱାରା ଦ୍ୱି-ସିମ୍ ବ୍ୟବହାରକାରୀ, ଦ୍ୱିତୀୟ ଫୋନରେ ଆପ୍ ଚଲାଉଥିବା ବ୍ୟକ୍ତି ଏବଂ ବିଦେଶ ଯାତ୍ରା କରୁଥିବା ଲୋକଙ୍କୁ ନିଜର ମୂଳ ସିମ୍ କାର୍ଡକୁ ସବୁବେଳେ ଚାଲୁ ରଖିବାକୁ ହେବ।
ଏହି ନିୟମ ମୁଖ୍ୟତଃ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ଜିଓଚାଟ୍, ଆରାଟାଇ ଭଳି ସମସ୍ତ ନମ୍ବର-ଆଧାରିତ ମେସେଜିଂ ଆପ୍ଗୁଡ଼ିକ ଉପରେ ଲାଗୁ ହେବ। ତେବେ ସ୍ନାପଚାଟ୍ ଏହା ଦ୍ୱାରା ପ୍ରଭାବିତ ହେବ ନାହିଁ ବୋଲି ସୂଚନା ମିଳିଥିବା ବେଳେ ସିଗ୍ନାଲ୍ ଆପ୍ର ଆଭିମୁଖ୍ୟ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ପ୍ରକାଶଥାଉ କି, ଏହି ନୂତନ ନିୟମ ମୋବାଇଲ୍ର ଅପରେଟିଂ ସିଷ୍ଟମ୍ କିମ୍ବା ଆଣ୍ଡ୍ରୋଏଡ୍/ଆଇଫୋନ୍ ମଡେଲ୍ ସହିତ ଜଡ଼ିତ ନୁହେଁ ବରଂ ଏହା କେବଳ ସିମ୍ ସତ୍ୟାପନ ଏବଂ ସୁରକ୍ଷା ପ୍ରକ୍ରିୟା ଉପରେ ଆଧାରିତ।



