Homeବାଣିଜ୍ୟକେନିଆ ଖଣି କ୍ଷେତ୍ରରେ ଡିଜିଟାଲ୍ କ୍ରାନ୍ତି: ସିଏସଏମ୍ ଟେକ୍ ଦ୍ୱାରା ଜାତୀୟ ରୟାଲ୍ଟି ପରିଚାଳନା ପ୍ରଣାଳୀ...

କେନିଆ ଖଣି କ୍ଷେତ୍ରରେ ଡିଜିଟାଲ୍ କ୍ରାନ୍ତି: ସିଏସଏମ୍ ଟେକ୍ ଦ୍ୱାରା ଜାତୀୟ ରୟାଲ୍ଟି ପରିଚାଳନା ପ୍ରଣାଳୀ ଆରମ୍ଭ

ଭୁବନେଶ୍ୱର / ନାଇରୋବି, ଅକ୍ଟୋବର ୫, ୨୦୨୬: ଆଫ୍ରିକୀୟ ମହାଦେଶରେ ଗଭ୍ଟେକ୍ ଓ ଡିଜିଟାଲ୍ ସୁଶାସନ କ୍ଷେତ୍ରରେ ଭାରତୀୟ ସଂସ୍ଥା ସିଏସଏମ୍ ଟେକ୍ନୋଲୋଜିଜ୍ ଲିମିଟେଡ୍ ନିଜର ଶ୍ରେଷ୍ଠତା ପ୍ରତିପାଦନ କରିଛି। କେନିଆ ସରକାରଙ୍କ ରାଜ୍ୟ ଖଣି ବିଭାଗ ପାଇଁ କମ୍ପାନୀ ଦ୍ୱାରା ବିକଶିତ ‘ରୟାଲ୍ଟି ମ୍ୟାନେଜମେଣ୍ଟ ସିଷ୍ଟମ୍’ (ଆରଏମଏସ) ର ସଫଳ ଶୁଭାରମ୍ଭ ହୋଇଛି। ସିଏସଏମ୍‌‌ର କେନିଆସ୍ଥିତ ସହାୟକ ସଂସ୍ଥା ସିଏସଏମ୍ ଟେକ୍ ଲିମିଟେଡ୍ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଏହି ପ୍ଲାଟଫର୍ମ ଗତ ସେପ୍ଟେମ୍ବର ୨୮ରୁ କାର୍ଯ୍ୟକ୍ଷମ ହୋଇଛି। ଏହା ସମଗ୍ର କେନିଆରେ ଖଣିଜ ରୟାଲ୍ଟି ଘୋଷଣା, ମୂଲ୍ୟାଙ୍କନ, ପରିଶୋଧ ଏବଂ ଅନୁପାଳନ ନିରୀକ୍ଷଣ ପାଇଁ ଦେଶର ଅଧିକୃତ ଜାତୀୟ ଡିଜିଟାଲ୍ ମାଧ୍ୟମ ଭାବେ ସେବା ଯୋଗାଇବା ଆରମ୍ଭ କରିଛି।

ଏହି ନୂତନ ଡିଜିଟାଲ୍ ବ୍ୟବସ୍ଥା କେନିଆର ଖଣି କ୍ଷେତ୍ର ପାଇଁ ଏକ ସାଂଘାତିକ ପରିବର୍ତ୍ତନ ଆଣିବାକୁ ଯାଉଛି। କେନିଆ ନ୍ୟାସନାଲ୍ ବ୍ୟୁରୋ ଅଫ୍ ଷ୍ଟାଟିଷ୍ଟିକ୍ସର ୨୦୨୬ ଆର୍ଥିକ ସର୍ବେକ୍ଷଣ ଅନୁସାରେ, ୨୦୨୪ରେ ୭.୮ ପ୍ରତିଶତ୍ର ହ୍ରାସ ପରେ ୨୦୨୫ରେ ଦେଶର ଖଣି କ୍ଷେତ୍ର ୧୪.୯ ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରିଛି। ସେହିପରି ୨୦୨୪-୨୫ ବର୍ଷରେ କେନିଆର ଖଣିଜ ରପ୍ତାନି ମୂଲ୍ୟ ୨୨୦ ମିଲିୟନ୍ ଆମେରିକୀୟ ଡଲାର ରହିଥିବା ବେଳେ ଏଥିରୁ ୯୯୧.୩ ମିଲିୟନ୍ କେନିଆନ୍ ଶିଲିଂ ରୟାଲ୍ଟି ସଂଗୃହୀତ ହୋଇଥିଲା। ଏହି ସମୟରେ ଆରଏମଏସର ଆଗମନ ଦେଶର ଆର୍ଥିକ ବିକାଶ ଓ ରପ୍ତାନି ଆୟ ବୃଦ୍ଧିରେ ଏକ ଗୁରୁତ୍ୱପୂର୍ଣ୍ଣ ସହାୟକ ହେବ।

କେନିଆର ‘ମାଇନିଂ ଆକ୍ଟ, କ୍ୟାପ୍ ୩୦୬’ ଆଇନକୁ ପ୍ରଭାବୀ ଢଙ୍ଗରେ ଲାଗୁ କରିବା ପାଇଁ ଏହି ଆରଏମଏସ ପ୍ରଣାଳୀ ପ୍ରସ୍ତୁତ କରାଯାଇଛି। ନିୟମାନୁସାରେ ଉତ୍ତୋଳନ ଓ ବିକ୍ରୟ ହେଉଥିବା ଖଣିଜ ସମ୍ପଦ ଉପରେ ରୟାଲ୍ଟି ଦେବା ବାଧ୍ୟତାମୂଳକ। ସଂଗୃହୀତ ରୟାଲ୍ଟିରୁ ୭୦ ପ୍ରତିଶତ ଜାତୀୟ ସରକାର, ୨୦ ପ୍ରତିଶତ କାଉଣ୍ଟି ସରକାର ଏବଂ ୧୦ ପ୍ରତିଶତ ସ୍ଥାନୀୟ ଅଞ୍ଚଳର ସମୁଦାୟଙ୍କୁ ବଣ୍ଟନ କରାଯାଇଥାଏ। ତେଣୁ ଏହି ସ୍ୱଚ୍ଛ ଡିଜିଟାଲ୍ ସିଷ୍ଟମ୍ ରାଜସ୍ୱ ଆଦାୟ ଓ ସଠିକ୍ ବଣ୍ଟନକୁ ଅତ୍ୟନ୍ତ ସହଜ ଓ ତ୍ରୁଟିମୁକ୍ତ କରିବ।

ଏହି ସୁରକ୍ଷିତ ଡିଜିଟାଲ୍ ପ୍ଲାଟଫର୍ମ ବ୍ୟବହାର କରି ଖଣି ମାଲିକ ଓ ଲାଇସେନ୍ସପ୍ରାପ୍ତ ବ୍ୟବସାୟୀମାନେ ନିଜର ସମସ୍ତ କାର୍ଯ୍ୟ ଅନଲାଇନ୍‌ରେ ସମ୍ପାଦନ କରିପାରିବେ। ଖଣି ତଥ୍ୟ ପଞ୍ଜୀକରଣ, ରୟାଲ୍ଟି ଦାଖଲ, ସ୍ୱୟଂଚାଳିତ ମୂଲ୍ୟାଙ୍କନ, ଇନଭଏସ୍ ସୃଷ୍ଟି, ଡିଜିଟାଲ୍ ପେମେଣ୍ଟ ଏବଂ ଜରିମାନା ସମ୍ବନ୍ଧୀୟ ସୂଚନା ଏଠାରେ ସହଜରେ ମିଳିପାରିବ। ଏହି ବ୍ୟବସ୍ଥା ଖଣି ଲାଇସେନ୍ସ ସହ ଯୋଡ଼ିହୋଇ ରହିବା ସହ ସୁରକ୍ଷିତ ଅଡିଟ୍ ଟ୍ରେଲ୍ ରଖୁଥିବାରୁ ଦୁର୍ନୀତି ଓ ମାନବୀୟ ହସ୍ତକ୍ଷେପ ହ୍ରାସ ପାଇବ। ଅନ୍ୟପଟେ ସରକାରୀ ଅଧିକାରୀମାନେ ରିଅଲ୍-ଟାଇମ୍ ତଥ୍ୟ ମାଧ୍ୟମରେ ରାଜସ୍ୱ ଆଦାୟ ଓ ଅନୁପାଳନ ଉପରେ ସିଧାସଳଖ ନଜର ରଖିପାରିବେ।

ଏହି ସଫଳତା ବାବଦରେ ସିଏସଏମ୍ ଟେକ୍ନୋଲୋଜିଜ୍ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ପ୍ରିୟଦର୍ଶୀ ପାଣି ପ୍ରକାଶ କରିଛନ୍ତି ଯେ, ଖଣିଜ ରୟାଲ୍ଟି ହେଉଛି ଜାତୀୟ ସମ୍ପଦକୁ ସାର୍ବଜନୀନ ମୂଲ୍ୟରେ ପରିଣତ କରିବାର ମୁଖ୍ୟ ମାଧ୍ୟମ। କେନିଆ ସରକାରଙ୍କ ସହ ମିଶି ଏହି ସ୍ୱଚ୍ଛ ପ୍ରଯୁକ୍ତିଭିତ୍ତିକ ପ୍ରଶାସନିକ ସିଷ୍ଟମ୍ ଗଠନ କରିବା ଭାରତର ଡିପିଆଇ କ୍ଷମତା ଉପରେ ବିଶ୍ୱସ୍ତରୀୟ ଆସ୍ଥାର ଜ୍ୱଳନ୍ତ ପ୍ରମାଣ। କମ୍ପାନୀର ସେଲ୍ସ (ଏମଇଏ) ନିର୍ଦ୍ଦେଶକ ସୁଭେନ୍ଦୁ କୁମାର ମହାପାତ୍ର କହିଛନ୍ତି ଯେ, କେନିଆର ଆରଏମଏସ ନିୟମାବଳୀକୁ ସହଜ କରିବା ସହ ଆଧୁନିକ ଖଣି ସୁଶାସନ ପାଇଁ ଏକ ଦୃଢ଼ ଢାଞ୍ଚା ପ୍ରଦାନ କରୁଛି।

ସୂଚନାଯୋଗ୍ୟ, ସିଏସଏମ୍ ଟେକ୍ନୋଲୋଜିଜ୍ ପୂର୍ବରୁ ଭାରତରେ ରାଜସ୍ଥାନ ସରକାରଙ୍କ ‘ରାଜମାଇନ୍ସ’, ଓଡ଼ିଶାର ‘ଆଇ୩ଏମଏସ’ ଏବଂ ଛତିଶଗଡ଼ର ‘ଖନିଜ ଅନଲାଇନ୍’ ପରି ବୃହତ୍ ଖଣିଜ ଡିଜିଟାଲ୍ ସିଷ୍ଟମ୍ ସଫଳତାର ସହ କାର୍ଯ୍ୟକାରୀ କରିସାରିଛି। କେନିଆରେ ଏହି ପ୍ରକଳ୍ପର ଶୁଭାରମ୍ଭ ଆଫ୍ରିକାରେ ସିଏସଏମ୍‌ର ବ୍ୟବସାୟିକ ସମ୍ପ୍ରସାରଣକୁ ଆହୁରି ମଜବୁତ କରିଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments