ଭୁବନେଶ୍ୱର, ୨୯।୯: କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ (କିମସ) ଆନୁକୂଲ୍ୟରେ ସୋମବାର ବିଶ୍ୱ ହୃଦୟ ଦିବସ ଅବସରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସଚେତନତାମୂଳକ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଯାଇଛି। ସାଧାରଣ ଜନତାଙ୍କ ମଧ୍ୟରେ ହୃଦୟର ଯତ୍ନ ଓ ନିୟମିତ ସୁସ୍ଥ ଜୀବନଶୈଳୀ ଅବଲମ୍ବନ କରିବାର ଗୁରୁତ୍ୱ ବାର୍ତ୍ତା ପହଞ୍ଚାଇବା ପାଇଁ କିମ୍ସ ପକ୍ଷରୁ ଏକ ବ୍ୟାପକ ସଚେତନତା ଶୋଭାଯାତ୍ରା ବାହାରିଥିଲା। ଏହି ସଚେତନତା ପଦଯାତ୍ରାରେ କିମ୍ସର କାର୍ଡିଓଲୋଜି ବିଭାଗର ବରିଷ୍ଠ ଡାକ୍ତର, ମେଡିକାଲ କର୍ମଚାରୀ, ଛାତ୍ରଛାତ୍ରୀ ଏବଂ ପ୍ରଶାସନିକ ଅଧିକାରୀମାନେ ଅତ୍ୟନ୍ତ ଉତ୍ସାହର ସହ ସାମିଲ ହୋଇଥିଲେ।
ଏହି ଦିବସ ପାଳନର ପ୍ରମୁଖ ଆକର୍ଷଣ ପାଲଟିଥିଲା କିସ୍ (KISS)ର ୫୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନେଇ ଆୟୋଜିତ ସାମୂହିକ ସିପିଆର (କାର୍ଡିଓପଲମୋନାରି ରିସସିଟେସନ୍) ପ୍ରଶିକ୍ଷଣ ଶିବିର। ହୃଦ୍ଘାତ ଭଳି ଜରୁରୀ କାଳୀନ ପରିସ୍ଥିତିରେ ଆକସ୍ମିକ ଭାବେ ଅଚେତ ହୋଇପଡ଼ୁଥିବା ବ୍ୟକ୍ତିଙ୍କ ନିଃଶ୍ୱାସ-ପ୍ରଶ୍ୱାସ ବନ୍ଦ ହେବା ସମୟରେ ଡାକ୍ତରୀ ସହାୟତା ପହଞ୍ଚିବା ପୂର୍ବରୁ ସିପିଆର କିପରି ଜୀବନ ରକ୍ଷାକାରୀ ସାବ୍ୟସ୍ତ ହୋଇପାରେ, ସେ ନେଇ ଛାତ୍ରଛାତ୍ରୀଙ୍କୁ ପ୍ରାକ୍ଟିକାଲ ପ୍ରଶିକ୍ଷଣ ଦିଆଯାଇଥିଲା। ଜରୁରୀ ସମୟରେ ଜୀବନ ରକ୍ଷା କରିବା ପାଇଁ ଏକ ଦକ୍ଷ ଓ ସଚେତନ ନାଗରିକ ଗୋଷ୍ଠୀ ତିଆରି କରିବା ଏହି ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
କାର୍ଯ୍ୟକ୍ରମରେ କିସର ପ୍ରତିଷ୍ଠାତାଙ୍କ ପରାମର୍ଶଦାତା ଡା. ଆର.ଏନ୍. ସାମନ୍ତ, କାର୍ଡିଓଲୋଜି ବିଭାଗ ମୁଖ୍ୟ ଡା. ସୁବାଶିଷ ମିଶ୍ର, ପ୍ରଫେସର ଡା. ପଞ୍ଚାନନ ସାହୁ, ନିଶ୍ଚେତକ ବିଭାଗର ଡା. ଅଶୋକ କୁମାର ବଡ଼ମାଳୀଙ୍କ ସମେତ ଅନ୍ୟାନ୍ୟ ପ୍ରମୁଖ ମେଡିକାଲ ବିଶେଷଜ୍ଞ ଓ ଅଧିକାରୀମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିଥିଲେ।



