ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିବା ଜାତୀୟ ରାଜପଥ-୩୧୬ରେ ଏବେ ଗାଡ଼ି ଚାଳକଙ୍କ ପାଇଁ ବେଗ ସୀମା ଏକ ବଡ଼ ଦ୍ୱନ୍ଦ୍ୱର କାରଣ ପାଲଟିଛି। ରାଜ୍ୟ ପରିବହନ ପ୍ରାଧିକରଣ (ଏସଟିଏ) ପକ୍ଷରୁ ଏହି ରାସ୍ତାରେ ଗାଡ଼ିର ସର୍ବାଧିକ ବେଗ ୫୦ କିଲୋମିଟର ଧାର୍ଯ୍ୟ କରାଯାଇ କଡ଼ାକଡ଼ି ଭାବେ ଜୋରିମାନା ଆଦାୟ କରାଯାଉଛି। ଅନେକ ଯାତ୍ରୀ ଅଜାଣତରେ ୫୦ କିମିରୁ ସାମାନ୍ୟ ଅଧିକ ବେଗରେ ଗାଡ଼ି ଚଳାଇ ମୋଟା ଅଙ୍କର ଇ-ଚାଲାଣର ଶିକାର ହେଉଛନ୍ତି। ବିଶେଷ କରି ପିପିଲି ବାଇପାସ ଓ ଏହାର ଆଖପାଖ ଅଞ୍ଚଳରେ ଲଗାଯାଇଥିବା ସେନସର କ୍ୟାମେରା ମାଧ୍ୟମରେ ଏହି ଦଣ୍ଡବିଧାନ କରାଯାଉଥିବାରୁ ଚାଳକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ତେବେ ଆଶ୍ଚର୍ଯ୍ୟଜନକ ଭାବେ, ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍ଏଚ୍ଏଆଇ) ଏହି ନୂଆ ବେଗ ସୀମା ଏବଂ କଟକଣା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ନଥିବା ପ୍ରକାଶ କରିଛନ୍ତି। ଏନ୍ଏଚ୍ଏଆଇ ଅଧିକାରୀଙ୍କ ଅନୁଯାୟୀ, ଜାତୀୟ ରାଜପଥରେ ସାଧାରଣତଃ କାର୍ ଭଳି ହାଲୁକା ଯାନ ପାଇଁ ବେଗ ସୀମା ୮୦ ରୁ ୧୦୦ କିମି ମଧ୍ୟରେ ରହିଥାଏ। ରାସ୍ତାର ଅନେକ ସ୍ଥାନରେ ଏବେ ମଧ୍ୟ ୮୦ କିମି ବେଗ ସୀମାର ସାଇନ୍ ବୋର୍ଡ ଲାଗି ରହିଛି, ଯାହା ଚାଳକଙ୍କୁ ବିଭ୍ରାନ୍ତ କରୁଛି। ଏନ୍ଏଚ୍ଏଆଇ ପକ୍ଷରୁ ଏହି ବେଗ ସୀମା ହ୍ରାସ ନେଇ କୌଣସି ଆଧିକାରିକ ନିର୍ଦ୍ଦେଶନାମା ଜାରି କରାଯାଇ ନଥିବା ବେଳେ ପରିବହନ ବିଭାଗ କେଉଁ ଆଧାରରେ ଜୋରିମାନା କାଟୁଛି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଦୁଇ ବିଭାଗ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ସାଧାରଣ ଲୋକେ ହଇରାଣ ହେଉଥିବା ଦେଖାଯାଇଛି। ଜାତୀୟ ରାଜପଥରେ ଯାତ୍ରା ସମୟରେ ଗୋଟିଏ ସ୍ଥାନରେ ୮୦ କିମିର ବୋର୍ଡ ଦେଖି ଗାଡ଼ି ଚଲାଉଥିବା ବ୍ୟକ୍ତି ହଠାତ୍ ୫୦ କିମି ବେଗ ଉଲ୍ଲଙ୍ଘନ ଅଭିଯୋଗରେ ଜୋରିମାନା ଭରୁଛନ୍ତି। ପରିବହନ ବିଭାଗ ପକ୍ଷରୁ ଦୁର୍ଘଟଣା ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଉଥିଲେ ମଧ୍ୟ, ଏନ୍ଏଚ୍ଏଆଇ ସହ ଆଲୋଚନା କରି ରାସ୍ତା କଡ଼ରେ ଥିବା ପୁରୁଣା ବୋର୍ଡଗୁଡ଼ିକୁ ବଦଳାଇବା କିମ୍ବା ସଚେତନତା ସୃଷ୍ଟି କରିବା ଦିଗରେ କୌଣସି ତତ୍ପରତା ପ୍ରକାଶ ପାଉନାହିଁ। ଏହି ବୈଷୟିକ ତ୍ରୁଟି ଓ ବିଭାଗୀୟ ଦ୍ୱନ୍ଦ୍ୱ ଯୋଗୁଁ ଯାତ୍ରୀମାନେ ଅଯଥାରେ ଆର୍ଥିକ ଦଣ୍ଡ ଭୋଗୁଥିବା ଅଭିଯୋଗ ହେଉଛି।



