ନୂଆ ବର୍ଷର ସନ୍ଧ୍ୟାରେ ଯେତେବେଳେ ଖାଦ୍ୟ ଏବଂ ସାମଗ୍ରୀର ଅର୍ଡର ସର୍ବାଧିକ ରହିଥାଏ, ସେହି ସମୟକୁ ଶ୍ରମିକ ସଂଘଗୁଡ଼ିକ ସେମାନଙ୍କର ଶକ୍ତି ପ୍ରଦର୍ଶନ ପାଇଁ ବାଛିଛନ୍ତି। ତେଲେଙ୍ଗାନା ଗିଗ୍ ଆଣ୍ଡ ପ୍ଲାଟଫର୍ମ ୱର୍କର୍ସ ୟୁନିଅନ୍ (TGPWU) ଏବଂ ଇଣ୍ଡିଆନ୍ ଫେଡେରେସନ୍ ଅଫ୍ ଆପ୍-ବେସଡ୍ ଟ୍ରାନ୍ସପୋର୍ଟ ୱର୍କର୍ସ (IFAT) ର ମିଳିତ ଆହ୍ୱାନ କ୍ରମେ ଆଜି ଦେଶର ବଡ଼ ବଡ଼ ସହରରେ ଡେଲିଭରି ଜୀବିକାଧାରୀମାନେ ସେମାନଙ୍କ ଆପ୍ ‘ଲଗ୍-ଆଉଟ୍’ କରିଛନ୍ତି।
ଜୋମାଟୋ, ସ୍ୱିଗି, ଜେପ୍ଟୋ, ବ୍ଲିଙ୍କିଟ୍, ଆମାଜନ ଏବଂ ଫ୍ଲିପକାର୍ଟ ଭଳି ବଡ଼ କମ୍ପାନୀର କର୍ମଚାରୀମାନେ ଏଥିରେ ସାମିଲ ହୋଇଛନ୍ତି। ପୂର୍ବରୁ ଡିସେମ୍ବର ୨୫ (ଖ୍ରୀଷ୍ଟମାସ) ଦିନ ଏକ ସାଙ୍କେତିକ ଧର୍ମଘଟ କରାଯାଇଥିଲା, କିନ୍ତୁ ଆଜିର ଏହି ଆନ୍ଦୋଳନକୁ ଶ୍ରମିକ ନେତାମାନେ ‘ଗୁରୁତ୍ବପୂର୍ଣ୍ଣ ଧର୍ମଘଟ” ବୋଲି କରିଛନ୍ତି।
ମୁଖ୍ୟ ଦାବି ସମୂହ
ଗିଗ୍ କର୍ମଚାରୀ ତଥା ଡେଲିଭରି ଜୀବିକାଧାରୀମାନେ ସେମାନଙ୍କର ଶୋଷଣ ବିରୋଧରେ ୫ଟି ମୁଖ୍ୟ ଦାବି ଉପସ୍ଥାପନ କରିଛନ୍ତି:
- ୧୦ ମିନିଟ୍ ଡେଲିଭରି ବନ୍ଦ: କମ୍ପାନୀଗୁଡ଼ିକ ମଧ୍ୟରେ ଚାଲିଥିବା ପ୍ରତିଯୋଗିତା ଯୋଗୁଁ ‘ଅତି ଶୀଘ୍ର’ ପହଞ୍ଚେଇ ଦେବାର ଚାପ ଡେଲିଭରି ଜୀବିକାଧାରୀମାନଙ୍କ ଜୀବନକୁ ବିପଦରେ ପକାଉଛି। ରାସ୍ତାରେ ଦ୍ରୁତ ଗତିରେ ଗାଡ଼ି ଚଲାଇବା ଯୋଗୁଁ ଅନେକ ଦୁର୍ଘଟଣା ଘଟୁଛି।
- ସର୍ବନିମ୍ନ ମଜୁରୀର ଗ୍ୟାରେଣ୍ଟି: ବର୍ତ୍ତମାନର ଦରବୃଦ୍ଧି ଏବଂ ପେଟ୍ରୋଲର ଦାମକୁ ଦେଖିଲେ, ଜଣେ ଡେଲିଭରି ଜୀବିକାଧାରୀଙ୍କୁ ମାସିକ ଅତି କମରେ ୪୦,୦୦୦ ଟଙ୍କା ମିଳିବା ଉଚିତ୍ ବୋଲି ସଂଘ ଦାବି କରିଛି। ଏହା ସହିତ କିଲୋମିଟର ପିଛା ସର୍ବନିମ୍ନ ୨୦ ଟଙ୍କା ପଇଠ ଦାବି କରାଯାଇଛି।
- ଆଇଡି ବ୍ଲକିଂ ଉପରେ ରୋକ୍: କୌଣସି ସ୍ପଷ୍ଟିକରଣ ନଥାଇ ଆଲଗୋରିଦମ୍ ଦ୍ୱାରା ଜଣେ କର୍ମଚାରୀଙ୍କ ଆଇଡି ବନ୍ଦ କରିଦେବା ଏକ ପ୍ରକାର ଶୋଷଣ। ଏହାକୁ ବନ୍ଦ କରିବା ପାଇଁ ସେମାନେ ଦାବି କରିଛନ୍ତି।
- ସାମାଜିକ ସୁରକ୍ଷା: ଗିଗ୍ କର୍ମଚାରୀମାନଙ୍କୁ କେବଳ ‘ସହଯୋଗୀ’ ନୁହେଁ, ବରଂ ‘ଶ୍ରମିକ’ର ମାନ୍ୟତା ଦେଇ ସେମାନଙ୍କୁ ସ୍ୱାସ୍ଥ୍ୟ ବୀମା, ଦୁର୍ଘଟଣା ବୀମା ଏବଂ ପେନସନ୍ ସୁବିଧା ଦେବାକୁ କୁହାଯାଇଛି।
- କାର୍ଯ୍ୟ ସମୟ ସୀମା: ଦିନକୁ ୧୨ ରୁ ୧୪ ଘଣ୍ଟା କାମ କରିବା ପରେ ମଧ୍ୟ ଉପଯୁକ୍ତ ପାରିଶ୍ରମିକ ମିଳୁନାହିଁ। ଏକ ୮ ଘଣ୍ଟିଆ କାର୍ଯ୍ୟ ସମୟ ଏବଂ ଓଭର-ଟାଇମ୍ ବ୍ୟବସ୍ଥା ଲାଗୁ କରିବାକୁ ସଂଘ ଦାବି କରିଛି।
କମ୍ପାନୀମାନଙ୍କର ପ୍ରତିକ୍ରିୟା ଏବଂ ‘ଲୋଭନୀୟ ଅଫର’
ଧର୍ମଘଟକୁ ବିଫଳ କରିବା ପାଇଁ ଡେଲିଭରି କମ୍ପାନୀଗୁଡ଼ିକ ନୂଆ ରଣନୀତି ଆପଣାଇଛନ୍ତି। ସେମାନେ ଡେଲିଭରି ଜୀବିକାଧାରୀମାନଙ୍କୁ ବଡ଼ ଧରଣର ପ୍ରୋତ୍ସାହନ ରାଶି (Incentives) ଯେମିତିକି ଦୁଇ ଦିନ କାମ କଲେ ୬,୦୦୦ ଟଙ୍କା ପର୍ଯ୍ୟନ୍ତ ବୋନସ ଦେବାର ପ୍ରତିଶ୍ରୁତି ଦେଇଛନ୍ତି। ସ୍ୱିଗି ଭଳି କମ୍ପାନୀ ଲକି ଡ୍ର’ ମାଧ୍ୟମରେ ବୌଦୁତିକ ସ୍କୁଟର ଦେବା କଥା ମଧ୍ୟ କହିଛି। କିନ୍ତୁ ସଂଘ ନେତାମାନେ ଏହାକୁ ଏକ ‘ଲାଞ୍ଚ’ ବୋଲି କହିଛନ୍ତି ଏବଂ ଶ୍ରମିକମାନଙ୍କୁ ଏଥିରେ ପ୍ରଲୋଭିତ ନ ହେବାକୁ ଅନୁରୋଧ କରିଛନ୍ତି।
ସାଧାରଣ ଜନତା ଏବଂ ବ୍ୟବସାୟ ଉପରେ ପ୍ରଭାବ
ଆଜି ସନ୍ଧ୍ୟାରେ ଅର୍ଡର କରୁଥିବା ଗ୍ରାହକମାନେ ନିମ୍ନଲିଖିତ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି:
- ବିଳମ୍ବିତ ଡେଲିଭରି: ସାଧାରଣ ସମୟ ଅପେକ୍ଷା ୧ ରୁ ୨ ଘଣ୍ଟା ବିଳମ୍ବ ହୋଇପାରେ।
- ଅର୍ଡର ପ୍ରତ୍ୟାହାର: ରାଇଡର ଅଭାବରୁ ଆପ୍ ଆପେ ଆପେ ଅର୍ଡର ରଦ୍ଦ କରିପାରେ।
- ସର୍ଜ ଦର ଲାଗୁ(Surge Pricing): ରାଇଡରଙ୍କ ସଂଖ୍ୟା କମ୍ ଥିବାରୁ ଡେଲିଭରି ଶୁଳ୍କ ଅଧିକ ରହିପାରେ।
ଭାରତରେ ପ୍ରାୟ ୧ କୋଟି ଗିଗ୍ କର୍ମଚାରୀମାନଙ୍କ ଭବିଷ୍ୟତ ବର୍ତ୍ତମାନ ଏବେ ଦ୍ୱନ୍ଦ୍ୱରେ ରହିଛି। ସରକାର ନିକଟରେ ସୋସିଆଲ ସିକ୍ୟୁରିଟି କୋଡ୍ (୨୦୨୫) ଲାଗୁ କରିଥିଲେ ମଧ୍ୟ ଏହାର ସୁଫଳ ଶେଷ ସ୍ତରର ଶ୍ରମିକଙ୍କ ପାଖରେ ପହଞ୍ଚିପାରି ନାହିଁ। ଆଜିର ଏହି ଆନ୍ଦୋଳନ କେବଳ ଟଙ୍କା ପାଇଁ ନୁହେଁ, ବରଂ ସେମାନଙ୍କର ମାନବିକ ଅଧିକାର ଏବଂ ସମ୍ମାନ ପାଇଁ ଏକ ଲଢ଼େଇ।
ୟୁନିଅନ୍ ନେତା ଶେଖ ସାଲାଉଦ୍ଦିନଙ୍କ ଅନୁସାରେ, “ଯଦି କମ୍ପାନୀଗୁଡ଼ିକ ଏବଂ ସରକାର ଆଜି ଆମ କଥା ନ ଶୁଣନ୍ତି, ତେବେ ୨୦୨୬ ମସିହାରେ ଏହି ଆନ୍ଦୋଳନ ଆହୁରି ଉଗ୍ର ରୂପ ଧାରଣ କରିବ।”



