ଭୁବନେଶ୍ୱର, ୧୬ ଅକ୍ଟୋବର: ରାଜ୍ୟର ପ୍ରତ୍ୟେକ ଯୋଗ୍ୟ ଗରିବ ଓ ଭୂମିହୀନ ପରିବାରକୁ ପକ୍କାଘର ଯୋଗାଇଦେବା ଲକ୍ଷ୍ୟରେ ଓଡ଼ିଶା ସରକାର ‘ଅନ୍ତ୍ୟୋଦୟ ଗୃହ ଯୋଜନା’ର ସମ୍ପ୍ରସାରଣ କରିବାକୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି ଯେ, ଏହି ଯୋଜନା ଅଧୀନରେ ଆଉ ଅତିରିକ୍ତ ୨,୯୧,୬୬୬ଟି ପକ୍କାଘର ନିର୍ମାଣ କରାଯିବ ଏବଂ ଯୋଜନାର ଅବଧିକୁ ୨୦୨୭ରୁ ଆଉ ଦୁଇ ବର୍ଷ ବୃଦ୍ଧି କରାଯାଇ ୨୦୨୯ ମସିହା ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ମୋଟ ୭,୫୫୦ କୋଟି ଟଙ୍କାର ଏହି ଯୋଜନାର ବଜେଟ୍ ଅପରିବର୍ତ୍ତିତ ରହିବ, ତେବେ ପୂର୍ବରୁ ଘର ମରାମତି ପାଇଁ ଉଦ୍ଦିଷ୍ଟ ଥିବା ୩,୫୦୦ କୋଟି ଟଙ୍କାକୁ ଏବେ ସମ୍ପୂର୍ଣ୍ଣ ନୂତନ ଗୃହ ନିର୍ମାଣ କାର୍ଯ୍ୟରେ ବିନିଯୋଗ କରାଯିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହୋଇପାରି ନଥିବା ଅତ୍ୟନ୍ତ ଗରିବ ଓ ଅସହାୟ ପରିବାରଗୁଡ଼ିକୁ ସହାୟତା ଯୋଗାଇଦେବା ପାଇଁ ଏହି ଯୋଜନା ଆରମ୍ଭ କରାଯାଇଥିଲା।
ଏହାସହିତ ସରକାର ଘର ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରୁଥିବା ହିତାଧିକାରୀଙ୍କ ପାଇଁ ପ୍ରୋତ୍ସାହନ ରାଶିକୁ ମଧ୍ୟ ବୃଦ୍ଧି କରିଛନ୍ତି। ନୂତନ ନିୟମାନୁଯାୟୀ, ନିର୍ଦ୍ଧାରିତ ୫ ମାସ ମଧ୍ୟରେ ଘର ନିର୍ମାଣ ସମ୍ପୂର୍ଣ୍ଣ କରୁଥିବା ହିତାଧିକାରୀଙ୍କୁ ୩୫,୦୦୦ ଟଙ୍କାର ପ୍ରୋତ୍ସାହନ ମିଳିବ, ଯାହା ପୂର୍ବରୁ ୪ ମାସ ପାଇଁ ୨୦,୦୦୦ ଟଙ୍କା ଥିଲା। ସେହିପରି ୭ ମାସ ମଧ୍ୟରେ କାର୍ଯ୍ୟ ଶେଷ କଲେ ୨୦,୦୦୦ ଟଙ୍କା ପ୍ରୋତ୍ସାହନ ମିଳିବ, ଯାହା ପୂର୍ବରୁ ୬ ମାସ ପାଇଁ ୧୦,୦୦୦ ଟଙ୍କା ରହିଥିଲା। ପୂର୍ବରୁ ୪୮,୫୦୦ ଟଙ୍କା କିମ୍ବା ତା’ଠାରୁ କମ୍ ସହାୟତା ପାଇଥିବା ପରିବାରଗୁଡ଼ିକୁ ମଧ୍ୟ ଏହି ସମ୍ପ୍ରସାରିତ ଯୋଜନାରେ ପୁନଃ ସାମିଲ କରାଯିବ। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଲୋକଙ୍କୁ ଉତ୍ସାହିତ କରିବା ଏବଂ ରାଜ୍ୟର ଶେଷ ସୀମାରେ ଥିବା ଗରିବ ପରିବାର ପାଖରେ ମୁଣ୍ଡ ଗୁଞ୍ଜିବାକୁ ଛାତଟିଏ ପହଞ୍ଚାଇବା ଏହି ନିଷ୍ପତ୍ତିର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।



